ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଘୋଷଣା
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଭଣ୍ଡାରିପୋଖରୀ ବିଜେଡି ପକ୍ଷରୁ ଘନ ଘନ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଉଛି । ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସ କାନ୍ତି ସାମଲଙ୍କ ଉପସ୍ଥିତିରେ ବିଭିନ୍ନ ସାଙ୍ଗଠନିକ ଆଲୋଚନା ସହିତ ପ୍ରାର୍ଥୀଙ୍କ ନାମ ଘୋଷଣା ହେଉଥିବା ଦେଖା ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କଲ୍ୟାଣ ମଣ୍ଡପ ଠାରେ ବାଲିପୋଖରୀ ପଞ୍ଚାୟତ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶ୍ରୀ ସାମଲ ଯୋଗଦେଇ କର୍ମୀମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ । ପରେ ସର୍ବ ସମ୍ମତି କ୍ରମେ ବାଲିପୋଖରୀ ପଞ୍ଚାୟତ ପାଇଁ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ସମାଜସେବୀ ବିଭୂଚରଣ ଦାସଙ୍କ ନାମକୁ ଶ୍ରୀ ସାମଲ ଘୋଷଣା କରିଥିଲେ । ଜିଲ୍ଲା ବିଜେଡି ସମ୍ପାଦକ ପର୍ଶୁରାମ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ପଂଚାୟତ ଯୁବ ସଭାପତି ବିଶ୍ୱଜିତ ଜେନା, ସନ୍ତୋଷ ଦାସ, ଛାତ୍ର ସଭାପତି ବିଭୁଦତ୍ତ ବାରିକ, ଦେବୀପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହା ଛଡା ପଞ୍ଚାୟତର ବହୁ ଛାମୁଆ ଓ ବରିଷ୍ଠ ବିଜେଡି କର୍ମକର୍ତ୍ତା ମାନେ ଏଥିରେ ଯୋଗ ଦେଇଥିଲେ ।


