ବିଜେପି ପ୍ରାର୍ଥୀ ଟଙ୍କା ବାଣ୍ଟିବା ଅଭିଯୋଗ, ମାମଲା ରୁଜୁ
କାକଟପୁର (ଯୁଗାବ୍ଦ ନ୍ୟୁଜ୍): ବିଜେପି ପ୍ରାର୍ଥୀ ରବି ମଲ୍ଲିକ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ହେବାପରେ କାକଟପୁର ଥାନାରେ ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷରେ ଶ୍ରୀରାମପୁର ଛକଠାର ଟଙ୍କା ବଣ୍ଟାକୁ ନେଇ କଂଗ୍ରେସ ସମର୍ଥକ ତାଙ୍କୁ ଆକ୍ରମଣ କରିଥିବାରୁ ସେମାନଙ୍କୁ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି । ପ୍ରକାଶ ଯେ, ଗୁରୁବାର ରାତି ଗୋଟାଏ ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ମଲ୍ଲିକ ୩/୪ଜଣ ସମର୍ଥକଙ୍କ ସହ ଶ୍ରୀରାମପୁର ଗ୍ରାମକୁ ଯାଇ ଟଙ୍କା ବାଣ୍ଟୁଥିବାବେଳେ ତାଙ୍କ ସହ ବଚସା ହୋଇଥିଲା । ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, କୋଣାର୍କରୁ ଫେରୁଥିବାବେଳେ ମୋ ଗାଡ଼ିକୁ ଅଟକାଇ ମୋତେ ଠେଲାପେଲା କରିଥିଲେ । ସଞ୍ଜୟ ଅଭିଯୋଗ କରିଛନ୍ତି ଯେ, ଶ୍ରୀ ମଲ୍ଲିକ ଟଙ୍କା ବାଣ୍ଟି ଭୋଟରଙ୍କୁ ଲୋକ ଦେଖାଉଥିବା ଖବର ପାଇ ଆମେ ପୁଲିସକୁ ଜଣାଇଥିଲୁ । ପୁଲିସ ଆସି ରବିକୁ ଉଦ୍ଧାର କରିବାସହ ତାଙ୍କ ଗାଡ଼ି (ଓଡି ୩୩ଭି-୭୦୪୦)କୁ ଥାନାକୁ ଆଣିବାସହ ସେ କ’ଣ ପାଇ ଏତେ ରାତିରେ ଗାଁକୁ ଯାଇଥିଲେ ତାର ତଦନ୍ତ କରୁଛନ୍ତି । ଏନେଇ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି । ଏ ସମ୍ପର୍କରେ ରବିଙ୍କ ମତାମତ ମିଳିପାରିନଥିଲେ ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ କହିଛନ୍ତି ବିଜେପି ପ୍ରାର୍ଥୀ ପରାଜୟ ଭୟରେ ରାତିରେ ଟଙ୍କା ବାଣ୍ଟୁଥିବା ଧରାପଡ଼ିଯିବା ପରେ ପୁଲିସ ଆଖିରୁ ଖସିବା ପାଇଁ ନାଟକ ତିଆରି କରିଛନ୍ତି ।