ବିଜ୍ଞାପନ ପାଇଁ ଅଡ଼ୁଆରେ ଜ୍ୟାକି ଓ ଗୋବିନ୍ଦା

ବିଜ୍ଞାପନ କରି ଅଡୁଆରେ ପଡ଼ିଲେ ବଲିଉଡର ଦୁଇ ଜଣାଶୁଣା ଅଭିନେତା । ବିଜ୍ଞାପନରେ କହିଥିବା କଥା ସତ ପ୍ରମାଣିତ ନ ହେବାରୁ ଏବେ ଗୋବିନ୍ଦା ଓ ଜ୍ୟାକି ଶ୍ରଫ୍‌ଙ୍କୁ ଦେବାକୁ ପଡ଼ିବ ୨୦ହଜାର ଟଙ୍କା ଲେଖାଏଁ ଜରିମାନା । ଉତ୍ତରପ୍ରଦେଶର ମୁଜରଫରନଗର ଖାଉଟି ଅଦାଲତ ଏହି ଦୁଇ ବଲିଉଡ୍ କଳାକାରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ବର୍ଷ ପୂର୍ବରୁ ଏହି ଦୁଇ ଅଭିନେତା ଏକ ମେଡିସିନ କମ୍ପାନୀ ପାଇଁ ବିଜ୍ଞାପନ ପ୍ରଚାର କରିଥିଲେ । କମ୍ପାନୀ ଦ୍ୱାରା ର୍ନିମିତ ଏକ ଯନ୍ତ୍ରଣା ମୁକ୍ତିଦାୟକ ତୈଳର ପ୍ରଚାର ପାଇଁ ଉଭୟ ଜ୍ୟାକି ଓ ଗୋବିନ୍ଦା ମୋଟା ଅଙ୍କର ଫିସ୍ ମଧ୍ୟ ନେଇଥିଲେ । ତେବେ ଏହି ହର୍ବାଲ୍ ତେଲ ବ୍ୟବହାର କରି ସମସ୍ୟାରେ ପଡିବା ପରେ ମୁଜଫରନଗରର ଜଣେ ଯୁବକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମ୍ପୃକ୍ତ କମ୍ପାନୀ ସହ ସେମାନେ ଉଭୟ କଳାକାରଙ୍କ ନାଁରେ ମାମଲା ରୁଜୁ କରିଥିଲେ । ମାମଲାର ଶୁଣାଣି କରି କୋର୍ଟ ତୈଳ କମ୍ପାନୀ ଓ ଦୁଇ କଳାକାରଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ୨୦୧୨ ମସିହାରେ ମୁଜଫରନଗରର ଓକିଲ ଅଭିନବ ଅଗ୍ରୱାଲ ବିଜ୍ଞାପନ ଦେଖି ନିଜ ବାପାଙ୍କ ପାଇଁ ୩୬୦୦ ଟଙ୍କା ଦେଇ ଉକ୍ତ ତେଲ କିଣିଥିଲେ । ବିଜ୍ଞାପନରେ କୁହାଯାଇଥିଲା ଯେ, ଏହି ତେଲ ଲଗାଇବା ଦ୍ୱାରା ଯଦି ଯନ୍ତ୍ରଣା ସମସ୍ୟା ଉପଶମ ନ ହୁଏ ତେବେ ଟଙ୍କା ଫେରସ୍ତ ଦିଆଯିବ । ତେବେ ଅନେକ ଦିନ ତେଲ ଲଗାଇବା ପରେ ବି ତାଙ୍କ ବାପାଙ୍କ ଯନ୍ତ୍ରଣା ଉପଶମ ନ ହେବାରୁ ସେ କମ୍ପାନୀକୁ ଟଙ୍କା ଫେରସ୍ତ ପାଇଁ କହିଥିଲେ । କିନ୍ତୁ କମ୍ପାନୀ ଟଙ୍କା ଦେବାକୁ ମନା କରିଦେଇଥିଲା । ଏହାପରେ ସେ କୋର୍ଟରେ ମାମଲା ରୁଜୁ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ