ବିଜୟ ଦିବସରେ ପରାକ୍ରମ ବଖାଣିଲା ପାଇକ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମା’, ମାଟି ପାଇଁ ପ୍ରାଣବଳୀ ଦେଇଥିବା ସୈନିକମାନେ ଆମର ଚିର ନମସ୍ୟ । ଅନ୍ଧକାର ରାତ୍ରିରେ ଯେତେବେଳେ ଆମ୍ଭେମାନେ ସୁପ୍ତ ଠିକ୍ ସେହି ସମୟରେ ଆମର ସୈନ୍ୟବାହିନୀ ଜାଗ୍ରତ । ଆମ୍ଭେମାନେ ଯେତେବେଳେ ତେଲ, ଲୁଣ ଦୁନିଆ ଭିତରେ ବୁଡ଼ି ରହିଥାଉ ଠିକ୍ ସେତିକିବେଳେ ସୁଉଚ୍ଚ ପାହାଡ଼, ବରଫା-ଚ୍ଛନ୍ନ, ଅଗଭୀର ସମୁଦ୍ର, ଆକାଶର ମଧ୍ୟଭାଗରେ ଆମ୍ଭମାନଙ୍କୁ ସୁରକ୍ଷା କରିଥାନ୍ତି । ଆମ ଭାରତୀୟ ସୈନିକମାନେ ଆଜି କାର୍‌ଗିଲ୍ ବିଜୟ ଦିବସ ଅବସରରେ ଏହା ପ୍ରକାଶ କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ଆଜି ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ କାର୍‌ଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ପରିସର ମଧ୍ୟରେ ଥିବା “ଅମର ଯବାନ’ ସ୍ମୃତିସ୍ତମ୍ଭ ନିକଟରେ ମହାସଂଘ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା । ଏଥିରେ ସ୍ଥାନୀୟ ୧୧ ନମ୍ବର ୱାର୍ଡ଼ର କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତି ଅତିଥି ଭାବରେ ଯୋଗଦେଇ ଅମର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ବିଜୟ ଦିବସର ପରାକ୍ରମ ବଖାଣିଥିଲେ । ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସୈନିକମାନେ ଯେପରି ପାକିସ୍ତାନ ସୈନ୍ୟ ବାହିନୀକୁ କଡ଼ା ଜବାବ ଦେଲେ ତାହାର ପଟ୍ଟାନ୍ତର ନାହିଁ । ସେଥିପାଇଁ ଆଜି ବିଶ୍ୱରେ ଭାରତୀୟ ସେନା ନିଜ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ମୁଖପାତ୍ର ରାଜୀବ ନୟନ ରଥ ସହିଦ ବୀର ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ବିହାର ରେଜିମେଣ୍ଟର ହାବିଲଦାର ରାମଚନ୍ଦ୍ର ଟୁଡୁଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ସନ୍ତୋଷ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ