ବିଦେଶୀ ମଦ ଦୋକାନ ଭଙ୍ଗାରୁଜା : ୨ ଗିରଫ
ହିିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ବିଦେଶୀ ମଦ ବୋତଲରେ ଲେଖାଯାଇଥିବା ଦର ଠାରୁ ଅଧିକ ମୂଲ୍ୟରେ ମଦ ବିକ୍ରି କରିବା ନେଇ ଦୋକାନୀ ମାଲିକଙ୍କୁ ମହଙ୍ଗା ପଡ଼ିଛି । ଦୁଇ ଯୁବକ ଉକ୍ତ ଘଟଣାକୁ କେନ୍ଦ୍ର କରି ସଂପୃକ୍ତ ବିଦେଶୀ ମଦ ଦୋକାନ ସମ୍ମୁଖ ଭାଗ କାଚଗ୍ଳାସକୁ ଭାଙ୍ଗିବା ସହ ସେଲସ୍ମ୍ୟାନଙ୍କୁ ମାଡ଼ ମାରିବାକୁ ପଛାଇ ନାହାନ୍ତି । ଏଭଳି ଏକ ଘଟଣା ଶୁକ୍ରବାର ଅପରାହ୍ନ ହିଂଜିଳି ଥାନା ସମରଝୋଳ ଗ୍ରାମରେ ଘଟିଛି । ଉକ୍ତ ଘଟଣାରେ ସଂପୃକ୍ତ ବିଦେଶୀ ମଦ ଦୋକାନ ସେଲସ୍ମ୍ୟାନ ଶିବାଶିଷଙ୍କ ଏତାଲା କ୍ରମେ ହିଂଜିଳି ଥାନା ନଂ- ୧୭/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଦୁଇ ଯୁବକଙ୍କୁ ରବିବାର ଗିରଫ କରିଛି । ଗିରଫ ଦୁଇ ଯୁବକ ହେଲେ ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ଗ୍ରାମର ବୁଡ଼ୁ ଦାସ ଓ ସନ୍ତୋଷ ଦାସ । ସୋମବାର ଗିରଫ ୨ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ହିଂଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମରେ ଥିବା ବହୁ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗୁଡ଼ିକରେ ଧାର୍ଯ୍ୟ ଠାରୁ ଅଧିକ ମୂଲ୍ୟରେ ମଦ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନୀୟ ଅବକାରୀ ବିଭାଗ କିମ୍ବା ପୋଲିସ ପ୍ରଶାସନ ଏ ଦିଗରେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଏ ନେଇ ବହୁବାର ସ୍ଥାନୀୟ ଅଂଚଳର ବିଦେଶୀ ମଦ ଦୋକାନୀ ମାଲିକ ସହ ଗ୍ରାହକଙ୍କ ଉଚ୍ଚବାଚ ହେଉଥିବାର ନଜିର ରହିଛି । ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଘଂଟା ସମୟରେ କୁକୁଡ଼ାକଣ୍ଡି ଗ୍ରାମର ୨ ଯୁବକ ଏକ ନମ୍ବର ବିହୀନ ମୋଟର ସାଇକେଲରେ ଆସି ହିଂଜିଳି ଥାନା ସମରଝୋଳ ଗ୍ରାମ ନିକଟସ୍ଥ ଅଂଚଳରେ ଥିବା ଦେବୀ ପ୍ରସାଦ ସାହୁଙ୍କ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ୨ଟି ବିୟର ମାଗିଥିଲେ । ଧାର୍ଯ୍ୟ ଦର ଠାରୁ ଅଧିକ ୨୦ଟଙ୍କା ଲେଖାଏଁ ମାଗିବାରୁ ୨ ଯୁବକ ଏଥିରେ ଉତେଜିତ ହୋଇ ସଂପୃକ୍ତ ବିଦେଶୀ ମଦ ଦୋକାନ ସମ୍ମୁଖ ଭାଗ କାଚଗ୍ଳାସକୁ ଭାଙ୍ଗିବା ସହ ସେଲସ୍ମ୍ୟାନଙ୍କୁ ମାଡ଼ ମାରିଥିଲେ । ପରେ ଦୋକାନ ମଧ୍ୟରେ ପଶି ୧୦ ହଜାର ଟଙ୍କା ଛଡ଼ାଇନେବା ପାଇଁ ଉଦ୍ୟମ କରିଥିଲେ ଏବଂ ଦୋକାନ ନିକଟକୁ କିଛି ଲୋକ ଆସିବାରୁ ୨ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ସେଲସ୍ମ୍ୟାନ ଶିବାଶିଷ ଏତାଲାରେ ଦର୍ଶାଇଛନ୍ତି । ପ୍ରକାଶ ଥାଉକି, ଗତ ୨୦୧୮ ମସିହାରେ ଅଧିକ ଦରରେ ଠିପି ବନ୍ଦ ବିଦେଶୀ ମଦ ବିକ୍ରିକୁ କେନ୍ଦ୍ର କରି ସମରଝୋଳ ଗ୍ରାମରେ ତୁମୁଳକାଣ୍ଡ ଘଟିବା ସହ ଉତ୍ୟକ୍ତ ଗ୍ରାମବାସୀ ଗ୍ରାମ ନିକଟରେ ରହିଥିବା ବିଦେଶୀ ମଦ ଦୋକାନକୁ ଭଙ୍ଗାରୁଜା କରିବା ସହ ଦେଶୀ ମଦ ଦୋକନକୁ ପୋଡ଼ି ଦେଇଥିଲେ ।


