ବିଧବା ମହିଳାଙ୍କ ସ୍ୱପ୍ନ ଚୁନା କଲା ନିଆଁ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତର ଲାଖବିନ୍ଧା ଗ୍ରାମରେ ଜଣେ ବିଧବା ମହିଳାଙ୍କ ସ୍ୱପ୍ନକୁ ଚୁନା କରିଦେଇଛି ନିଆଁ । ଗ୍ରାମର ବିଧବା ମହିଳା ଗୀତା ନାଇକ ପରଘରେ ମୁଲ ଲାଗି ଦୀର୍ଘଦିନ ହେଲା ନିଜ ଝିଅର ବାହାଘର ପାଇଁ ସଞ୍ଚିଥିବା ସମସ୍ତ ସାମଗ୍ରୀ ନିଆଁର କରାଳ ଆଁରେ ପେଡି ଧ୍ୱସଂ ହୋଇଯାଇଛି । ଆଉ ଦିନ କେଇଟା ପରେ ହୋଇଥାନ୍ତା ବାହାଘର । ହେଲେ ଗତକାଲି ରାତିରେ ସବୁ ଓଲଟପାଲଟ ହୋଇଗଲା । ଗତକାଲି ରାତିରେ ଗୀତା ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଇଥିବାବେଳେ ସେଠାରୁ ଫେରିବା ବେଳକୁ ଘରେ ନିଆଁ ଲାଗିସାରିଥିଲା । ଘରଟି ହୁତ ହୁତ ହୋଇ ଜଳୁଥିବା ଦେଖି କିଂ କର୍ତ୍ତବ୍ୟମୁଢ଼ ହୋଇଯାଇଥିଲେ ବିଧବା ଗୀତା । ଘରେ ନିଆଁ ଲାଗିବା ଦେଖି ଝିଅ ବାହାରକୁ ଦୌଡି ପଳାଇ ଆସିଥିବାବେଳେ ଗାଁ ଲୋକେ ଗରା ବାଲଟି ଧରି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଳେ । କିନ୍ତୁ ସଫଳ ହୋଇପାରି ନଥିଲେ । ପରେ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ଗୀତାଙ୍କର ତିନିବଖରା ଘର ସମେତ ଘରେ ଝିଅ ବାହାଘର ପାଇଁ ସାଇତି ରଖିଥିବା ସୁନାରୁପା ଅଳଙ୍କାର, ଲୁଗାପଟା, ବାସନ କୁସନ, ଖଟ, ପଲଙ୍କ, ଘରେଥିବା ଧାନ, ଚାଉଳ ଆଦି ସମସ୍ତ ପୋଡି ପାଉଁଶ ହୋଇଯାଇଥିଲା । ଏପରିକି ଚାରୋଟି ଛେଳି ଓ ଅନେକ କୁକୁଡା ମଧ୍ୟ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ବିଦୁଞତ ସର୍ଟ ସର୍କିଟ ଯୋଗୁଁ ଏପରି ଘଟିଥିବା ଅନୁମାନ କରାଯାଉଛି । ସେ ଆବାସ ଯୋଜନାରେ ଘର ପାଇ ନଥିବାବେଳେ ନିଜ ଉଦ୍ୟମରେ ଘର ଖଣ୍ଡିଏ ନିର୍ମାଣ କରିଥିଲେବି ତାହା ଅଧାପନ୍ତରିଆ ହୋଇ ପଡିରହିଛି । ସେ ଏବେ କେଉଁଠି ରହିବେ ଓ କିପରି ଝିଅର ବାହାଘର କରିବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି । ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


