ବିନା ପଞ୍ଜିକରଣରେ ପାଥୋଲ୍ୟାବ୍ : ସ୍ୱାସ୍ଥ୍ୟ ବିଭାଗ ଚୁପ୍
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ଛତୁ ଫୁଟିଲା ଭଳି ବେସରକାରୀ ପାଥୋଲ୍ୟାବ୍ ଗଢି ଉଠିଲାଣି । କିଛି ଲ୍ୟାବ୍ୱିନା ପଞ୍ଜିକରଣ, ବିନା ଲାଇସେନ୍ସରେ ଚାଲୁଥିବାବେଳେ ଅନଭିଜ୍ଞଙ୍କ ଦ୍ୱାରା ବିଭିନ୍ନ ପରୀକ୍ଷା କରାଯାଉଥିବା ଅଭିଯୋଗ ହେଉଛି । ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମେତ ବ୍ଳକର ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ସାରୁ, କଂଚୁରୁ, ଦୟାନିଧିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାରର ରକ୍ତ ପରୀକ୍ଷା ସମେତ ଅନ୍ୟାନ ପରୀକ୍ଷା କରିବା ସରଞ୍ଜାମ ନଥିବାରୁ ରୋଗୀ ଘରୋଇ ପାଥୋଲ୍ୟାବ୍ ଏବଂ ବିଭିନ୍ନ ବେସରକାରୀ କ୍ଳିନିକ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏହି ପାଥୋଲ୍ୟାବ୍ର ଟେକ୍ନିସିଆନ ରକ୍ତର ନମୁନା ସଠିକ୍ ପରୀକ୍ଷା କରି ପାରୁଛନ୍ତି କି ନାହିଁ ତାହାର ତଦାରଖ କରାଯାଉନାହିଁ । ଜଣେ ଡ଼ିଏମଏଲଟି(ଡ଼ିପ୍ଳୋମା ଇନ୍ ଲ୍ୟାବ୍ରୋଟାରୀ ଟେକ୍ନିସିଆନ) କିମ୍ବା ବିଏମଆରଟି, ଆରଏମପି କରିଥିଲେ ପାଥୋଲ୍ୟାବ୍ ଖୋଲିବା ନିୟମ ରହିଛି । ଏଥି ସକାଶେ ଟ୍ରେନିଂ କୋର୍ସ କରିବା ମଧ୍ୟ ନିତାନ୍ତ ଆବଶ୍ୟକ । ଏଥିସହ ପରୀକ୍ଷା ପାଇଁ ବିଭିନ୍ନ ପ୍ରମାଣପତ୍ର ଦାଖଲ ବ୍ୟବସ୍ଥା ରହିଛି । କିନ୍ତୁ ଅଧିକାଂଶ ପାଥୋଲ୍ୟାବର କୌଣସି ଯାଂଚ କରଯାଉନାହିଁ । ଫଳରେ ରୋଗୀଙ୍କ ଜୀବନ ପ୍ରତି ଖେଳାଯାଉଥିବା କୁହାଯାଉଛି । ସ୍ୱାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ପାଥୋଲ୍ୟାବ ମାଲିକ ନକଲି ସାର୍ଟିଫିକେଟ ଜରିଆରେ ବ୍ୟବସାୟ କରୁଥିବା ଅଭିଯୋଗ ଉଠିଛି । ସ୍ଥାନୀୟ ବ୍ଳକର କିଛି ଗ୍ରାମାଂଚଳରେ ପାଥୋଲ୍ୟାବ୍ ଗୁଡ଼ିକରେ କ୍ୱାକ୍ମଙ୍କ ଜରିଆରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଏବଂ ବହୁ ନିରକ୍ଷର ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ସେମାନଙ୍କ ଦ୍ୱାରା ଶୋଷିତ ହେବା ସହ ବହୁ ସମୟରେ ଉଭୟ ଧନ ଓ ଜୀବନ ନଷ୍ଟ ହେଉଥିବା ନଜିର ରହିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


