ବିନା ପଲ୍ଲୀସଭାରେ ପ୍ରକଳ୍ପ କାର୍ଯ୍ୟ ପାଇଁ ଜଙ୍ଗଲ ଜମି ଅଧିଗ୍ରହଣ ଅଭିଯୋଗ କଲେ ଗ୍ରାମବସୀ

ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଚମକପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଠାରେ ବିନା ପଲ୍ଲୀସଭାରେ ଜଙ୍ଗଲ ଜମି ଅଧିଗ୍ରହଣ ହୋଇ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳକୁ ଯିବା ପରେ ଜଣାପଡିଛି ଯେ, ମେଘା ଇଂଜିନିୟରିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ନାମକ ଏକ ଠିକା ସଂସ୍ଥା ଉକ୍ତ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ପାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିୟମ ଅନୁଯାୟୀ ଜଙ୍ଗଲ ଜମିକୁ ବ୍ୟବହାର କରିବା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ପଲ୍ଲୀସଭା ମାଧ୍ୟମରେ ଅନୁମୋଦନ ଲୋଡାଯାଏ, ମାତ୍ର ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ କୌଣସି ପଲ୍ଲୀସଭା କରାଯାଇନଥିବା ଗ୍ରାମର ଜଗନ୍ନାଥ ତିରିଆ, ଅର୍ଜୁନ ବେହେରା, ଡମ୍ବରୁଧର ମହାନ୍ତ ଅଭିଯୋଗ କରିଛନ୍ତି । କଣ୍ଡରା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭାକର ନାଏକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ମେଘା ଉଠା ଜଳସେଚନ ପ୍ରକଳ୍ପ ପାଇଁ ପ୍ରଶାସନ ପକ୍ଷରୁ ପଲ୍ଲୀ ସଭା କରାନଯାଇ ଜଙ୍ଗଲ କାଟ ହୋଇ ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଜଙ୍ଗଲ ଜମି ଉପରେ ନିର୍ଭର କରି ଯେଉଁ ଜୀବିକା ନିର୍ବାହ କରୁଥିଲେ ତାହା ଠପ୍ ହୋଇଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ମେଘା ଇଂଜିନିୟରିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ବାହାର ଅଂଚଳର ଲୋକଙ୍କୁ ଆଣି ଏଠାରେ ନିଯୁକ୍ତି ଦେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରୁଛି । ଠିକା ସଂସ୍ଥାର ବଡ ବଡ ଭାରୀଯାନ ଚଳାଚଳ ହେତୁ ଧୂଳି ଉଡି ପ୍ରଦୂଷଣ ବୃଦ୍ଧି ହେବା ସହ ରାସ୍ତାଘାଟ ଜରାଜୀର୍ଣ୍ଣ ହୋଇପଡିଛି । ଏ ନେଇ ସେ ସ୍ଥାନୀୟ ବାଲିବନ୍ଧ ଫରେଷ୍ଟରଙ୍କୁ ଜଣାଇଥିବା କହିଛନ୍ତି । ଏହି ଠିକାସଂସ୍ଥା ଏଠାରେ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଆଠ ରୁ ନଅ ମାସ ହେବ ଆରମ୍ଭ କରିଛି । ହେଲେ ଅଞ୍ଚଳବାସୀଙ୍କର ବିକାଶ ହେବା ପରିବର୍ତ୍ତେ ବିନାଶ ହେବାରେ ଲାଗିଛି । ଏହି ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନେ ଅତି ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରାୟ ୫୦ ଫୁଟ୍ ଉଚ୍ଚତାରେ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସୁରକ୍ଷା ସରଞ୍ଜାମ ଯଥା: ଟୋପି, ଯୋତା, ହ୍ୟାଣ୍ଡ ଗ୍ଲବ୍ସ, ଚଷମା ଦିଆଯାଇନଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକ ମହମ୍ମଦ ମୁସାରଫ, ସୁବାଷ ଗ୍ରାମ, ରଂଜିତ ବେହେରା ପ୍ରମୁଖଙ୍କୁ ପଚାରିବାରୁ ସେମାନଙ୍କୁ ସୁରକ୍ଷା ସରଞ୍ଜାମ ବହୁତ ଦିନ ପୂର୍ବେ ଦିଆଯାଇଥିଲା ମାତ୍ର ବର୍ତମାନ କୌଣସି ସୁରକ୍ଷା ସରଞ୍ଜାମ ନଦେଇ ବିନା ସେଫ୍ଟି ବେଲ୍ଟରେ କାର୍ଯ୍ୟ କରାଉଥିବା କହିଥିଲେ । ଗ୍ରାମର ବାନ୍‌ଛାନିଧି ନାଏକ, ପୂର୍ଣ୍ଣଚନ୍ଦ୍ର ନାଏକ, ସୁଶିଲ କୁମାର ନାଏକ ତାଙ୍କ ଅଭିଯୋଗରେ କହିଥିଲେ ଯେ, ଗ୍ରାମ ମଧ୍ୟରେ ଠିକାସଂସ୍ଥାର ଏକ ଷ୍ଟାଫ୍ କଲୋନୀ ରହିଛି । ସେଠାରୁ ମଇଳା ଆବର୍ଜନା ମିଶ୍ରିତ ଦୂଷିତ ପାଣି ସିଧାସଳଖ ଆସି ମନ୍ଦିର ଦେଇ ନଦୀରେ ମିଶୁଛି । ଫଳରେ ଦୂଷିତ ପାଣିକୁ ଗ୍ରାମବାସୀ ମାନେ ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତିି । ଏ ସମ୍ପର୍କରେ ଚମକପୁର ଗ୍ରାମପଞ୍ଚାୟତର ସରପଞ୍ଚ ନରହରି ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମେଘା ଇଂଜିନିୟରିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ଠିକା ସଂସ୍ଥା ପକ୍ଷରୁ ପ୍ରଥମେ ଜମି ଅଧିଗ୍ରହଣ କରି ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ୬ ମାସ ହେବ ଆରମ୍ଭ କରିଛନ୍ତି । ଏନେଇ କୌଣସି ପଲ୍ଲୀସଭା କରାଯାଇନାହିଁ । ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପରେ ଠିକା ସଂସ୍ଥା ପକ୍ଷରୁ ତାଙ୍କ ନିକଟକୁ ଏକ ଚିଠି ଆସିଥିଲା । ଉକ୍ତ ଚିଠିରେ ପଲ୍ଲୀସଭା କରିବାପାଇଁ ଅନୁରୋଧ କରାଯାଇଥିଲା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ବିନା ଏନ୍‌ଓସି ରେ କିପରି ବନ ବିଭାଗ ପକ୍ଷରୁ ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ଅନୁମୋଦନ ଦିଆଗଲା । ଏ ସମ୍ପର୍କରେ ମେଘା ଇଂଜିନିୟରିଂ କମ୍ପାନୀର ଡେପୁଟି ପ୍ରଜେକ୍ଟ ମ୍ୟାନେଜର ଶ୍ରୀରାମ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ନିର୍ମାଣଧିନ ଅଞ୍ଚଳଟି କାନପୁର ବୃହତ ଜଳସେଚନ ପ୍ରକଳ୍ପର ଅଧିନସ୍ଥ । ଏହା ବୁଡି ଅଞ୍ଚଳ ଏଠାରେ ସରକାରଙ୍କ ସମସ୍ତ ନିୟମ ପାଳନ କରାଯାଇ କାର୍ଯ୍ୟ କରାଯାଉଛି । ଏ ସମ୍ପର୍କରେ ଚମ୍ପୁଆ ରେଞ୍ଜ ଅଧିକାରୀ ଘାସିନାଥ ପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଉକ୍ତ ପ୍ରକଳ୍ପ ପାଇଁ ଗ୍ରାମରେ ପଲ୍ଲୀସଭା ହୋଇଛି କି ନାହିଁ ସେ କିଛି ଜାଣି ନାହାନ୍ତି, ହେଲେ ଜମି ଅଧିଗ୍ରହଣ ନିମନ୍ତେ ବନବିଭାଗ ପକ୍ଷରୁ ଅନୁମୋଦନ ଦିଆଯାଇଛି ।ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ସ୍ଥାନୀୟ ସରପନ୍‌ଚ ଙ୍କ ବିନା ଏନଓସି ଏବଂ ପଲ୍ଲୀସଭା କରାନଯାଇ କିପରି ବନବିଭାଗ ପକ୍ଷରୁ ଜଙ୍ଗଲ ଜମିକୁ ପ୍ରକଳ୍ପ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଅନୁମୋଦନ ଦିଆଗଲା । ଏବଂ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଠିକା ସଂସ୍ଥା ପକ୍ଷରୁ ପଲ୍ଲୀସଭା କରିବା ପାଇଁ ସ୍ଥାନୀ ୟ ସରପଞ୍ଚଙ୍କୁ ଚିଠି ଦିଆଗଲା ତାହା ସନ୍ଦେହ ଘେରରେ ରହିଛି । ପ୍ରଶାସନ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ