ବିପଦଜନକ ଅବସ୍ଥାରେ ମୁକୁଳା ଟ୍ରାନସଫରମର ସ୍ଥାନାନ୍ତର ଦାବି
ନିମାପଡା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ଅଧିନସ୍ଥ ଡେଣୁଅଁ ଗ୍ରାମ ପଂଚାୟତର ଡେଣୁଅଁବସ୍ତ ଗ୍ରାମ କେନାଲ ବ୍ରିଜ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଟି ବିପଦଜନକ ଭାବେ ମୁକୁଳା ପଡିଛି। ଗାଈ,ଗୋରୁ, ମେଣ୍ଢା, ଛେଳି ପ୍ରଭୁତି ଗୃହପାଳିତ ପଶୁ ଏହି ବାଟ ଦେଇ ନିୟମିତ ଯା ଆସ କରୁଥିବା ବେଳେ ଛୋଟ ଛୋଟ ପିଲା ମଧ୍ୟ ଏହି ବାଟରେ ଚଳପ୍ରଚଳ କରୁଛନ୍ତି। ବିପଦ ଜନକ ଭାବେ ଥିବା ବିଦ୍ୟୁତ ଟ୍ରାନସଫରମର ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସିଙ୍କ ପକ୍ଷରୁ ବାରମ୍ବାର ସ୍ଥାନୀୟ ବିଦ୍ୟୁତ ବିଭାଗର ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଟ୍ରାନ୍ସଫର୍ମରକୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ କରାଯାଉନାହିଁ। ବିଦ୍ୟୁତ ବିଭାଗର ବେପରୁଆ ନୀତି ଯୋଗୁ ଅନେକ ସମୟ ରେ ନିରୀହ ପଶୁମାନଙ୍କ କରେଣ୍ଟରେ ଜୀବନ ଯାଉଛି।ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ନଦୀବନ୍ଧ ଉଚ୍ଚା କରିବା ଫଳରେ ଆଗରୁ ଲାଗିଥିବା ଟ୍ରାନ୍ସଫର୍ମରଟି ରାସ୍ତା ଅନୁପାତରେ ନିଚା ସ୍ଥାନରେ ରହିଛି।ଫଳରେ ଗାଈଗୋରୁ ମାନେ ଚରିବା ସମୟରେ ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡୁଛନ୍ତି।କେବଳ ପଶୁ ମାନଙ୍କ ଜୀବନ ଯାଉନି ଏବେ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ବିପଦ ପୂର୍ଣ୍ଣ ହୋଇପଡିଛି।ହାତ ପାହାନ୍ତାରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି କେତେବେଳେ କାହା ଜୀବନ ନେବ କହିବା ମୁସ୍କିଲ। ବିଭାଗୀୟ କତ୍ତୁର୍ପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଟ୍ରାନ୍ସଫର୍ମରଟିକୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ସାଧାରଣରେ ଦାବି ହେଉଛି।


