ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବୀ ପତ୍ର ଦେଲା ଜିଲ୍ଲା କଂଗ୍ରେସ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀପତ୍ର ମାଧ୍ୟମରେ ସହରର ବିଭିନ୍ନ ସମସ୍ୟା ଯଥା – ସହରର ବିଭିନ୍ନ ସ୍ଥାନରେ ଏଲଏଣ୍ଡଟି କମ୍ପାନୀ ଦ୍ୱାରା ପାଇପ ବିଛାଇବା ନାମରେ ଖୋଳାଯିବା ଫଳରେ ସହରରେ ବିଭିନ୍ନ ଦୁର୍ଘଟଣା ଘଟୁଛି । ସେହିପରି ଅଳ୍ପ ବର୍ଷାରେ ସହରରେ କୃତିମ ବନ୍ୟା ସୃଷ୍ଟି ହେଉଥିବା ବେଳେ ନାଳ ନର୍ଦ୍ଦମାର ପୁନଃନିର୍ମାଣ କରାଯାଇନଥିବାରୁ ନାଳ ପାଣି ରାସ୍ତାରେ ଭାସୁଛି । ତେବେ ନିର୍ବାଚନ ପୁର୍ବରୁ ସରକାର ସହରବାସୀଙ୍କୁ ପିଇବା ପାଣି ଯୋଗାଇଦେବା ପାଇଁ ଜାନିବିଲ ପ୍ରକଳ୍ପର ତରବରିଆ ଉଦ୍ଘାଟନ କରିଥିଲେ ମଧ୍ୟ ତାହା ଏବେ ଅକାମୀ ହୋଇ ପଡିରହିଛି । ତେବେ ଉପରୋକ୍ତ ସମସ୍ୟାର ଶୀଘ୍ର ସମାଧାନ କରାନଗଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।


