ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ
ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ଅଂଶୀଦାରଙ୍କୁ ଲକ୍ଷ୍ୟବଦ୍ଧ ପ୍ରୟାସ କରିବା ଲାଗି ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀସ୍ଥିତ ନୀତି ଆୟୋଗରେ ପ୍ରାକ ବଜେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସେ ବରିଷ୍ଠ ଅର୍ଥନୀତିଜ୍ଞ, ଘରୋଇ ଇକ୍ୟୁଟି ଓ ଭେଂଚର କ୍ୟାପିଟାଲିଷ୍ଟ, ଉତ୍ପାଦନ, ଭ୍ରମଣ ଓ ପର୍ୟ୍ୟଟନ, ପୋଷାକ ଓ ଏଫଏମସିଜି କ୍ଷେତ୍ରର ବ୍ୟବସାୟ ନେତୃବର୍ଗ, ବିଶ୍ଳେଷକଙ୍କ ସମେତ କୃଷି, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଅର୍ଥ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ କାର୍ୟ୍ୟ କରୁଥିବା ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ପ୍ରାୟ ଦୁଇ ଘଂଟା ଧରି ଚାଲିଥିବା ଆଲୋଚନାରେ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ କରିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଏହି ଆଲୋଚନା ଦ୍ୱାରା ନୀତି ନିର୍ମାତା ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ କରିବାର ବିଚାର ହଠାତ ଆସିନାହିଁ । ଦେଶର ସାମର୍ଥ୍ୟକୁ ଗଭୀର ଭାବେ ବୁଝିବା ପରେ ଏହି ବିଚାର ଆଗକୁ ଆସିଛି । ସେ କହିଥିଲେ ଯେ, ଭାରତୀୟ ଅର୍ଥବ୍ୟବସ୍ଥାର ଦୃଢ଼ ଅବଶୋଷକ କ୍ଷମତା ଏହାର ସୁଦୃଢ଼ ମୂଳଦୁଆ ଏବଂ ପୁନଃ ପ୍ରଗତି ହାସଲ କରିବାର ସାମର୍ଥ୍ୟକୁ ଦର୍ଶାଇଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପର୍ୟ୍ୟଟନ, ସହରୀ ବିକାଶ, ଭିତିଭୂମି ଏବଂ କୃଷିଉଦ୍ୟୋଗ ଭଳି କ୍ଷେତ୍ର ନିକଟରେ ଦେଶର ଅର୍ଥବ୍ୟବସ୍ଥାକୁ ଆଗେଇ ନେବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଅପାର ସମ୍ଭାବନା ରହିଛି । ସେ କହିଥିଲେ ଯେ ଏଭଳି ମଂଚରେ ଖୋଲା ଆଲୋଚନା ଏବଂ ବିଚାରବିମର୍ଶ ଦ୍ୱାରା ପ୍ରସଙ୍ଗକୁ ବୁଝିବା ଏବଂ ସୁସ୍ଥ ବିତର୍କ କରିବା ସମ୍ଭବ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟ ସମାଜରେ ସକାରାତ୍ମକ ମାନସିକତା ଏବଂ ‘କିଛି କରିପାରିବା’ର ଭାବନା ଜାଗ୍ରତ କରିବ । ଭାରତକୁ ଅପାର ସମ୍ଭାବନାର ଭୂମି ଭାବେ ବର୍ଣ୍ଣନା କରି ସେ ସମସ୍ତ ଅଂଶୀଦାରମାନଙ୍କୁ ବାସ୍ତବତା ଏବଂ ଅବଧାରଣା ମଧ୍ୟରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ, ଆମ ସମସ୍ତଙ୍କୁ ମିଳିମିଶି କାମ କରିବା ଏବଂ ଏକ ରାଷ୍ଟ୍ର ହିସାବରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଅର୍ଥନୀତିଜ୍ଞ ଶ୍ରୀ ଶଙ୍କର ଆଚାର୍ୟ୍ୟ, ଶ୍ରୀ ଆର ନାଗରାଜ, ଫରଜାନା ଆଫ୍ରିଦି, ଭେଂଚର କ୍ୟାପିଟାଲିଷ୍ଟ ଶ୍ରୀ ପ୍ରଦୀପ ଶାହ, ଶିଳ୍ପପତି ଶ୍ରୀ ଆପ୍ପାରାଓ ମାଲାଭରପୁ, ଶ୍ରୀ ଦୀପ କାଲରା, ଶ୍ରୀ ପତଞ୍ଜଳି ଗୋବିନ୍ଦ କେଶ୍ୱାନୀ, ଶ୍ରୀ ଦୀପକ ସେଠ, ଶ୍ରୀ ଶ୍ରୀକୁମାର ମିଶ୍ର, ବିଷୟ ବିଶେଷଜ୍ଞ ଶ୍ରୀ ଆଶିଷ ଧୱନ ଏବଂ ଶ୍ରୀ ଶିବ ଶରିନଙ୍କ ସମେତ ୩୮ଜଣ ପ୍ରତିନିଧି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଏମଏସଏମଇ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ, ରେଳ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ, ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ତୋମାର, ବିଭିନ୍ନ ମନ୍ତ୍ରଣାଳୟର ସଚିବ, ନୀତି ଆୟୋଗର ଅଧ୍ୟକ୍ଷ ଶ୍ରୀ ରାଜୀବ କୁମାର ଏବଂ ସିଇଓ ଅମିତାଭ କାନ୍ତ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।


