ଲୋକସଭାରେ ଚିଟ୍ଫଣ୍ଡ (ସଂଶୋଧନ) ବିଲ୍ ପାରିତ
ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଚିଟ୍ଫଣ୍ଡ (ସଂଶୋଧନ) ବିଲ୍ ୨୦୧୯ ପାରିତ ହୋଇଯାଇଛି । ଏହା ନିବେଶକମାନଙ୍କର ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦିଷ୍ଟ ବୋଲି କୁହାଯାଇଛି । ଏଥିରେ ଚିଟ୍ ଫଣ୍ଡ ବ୍ୟବସ୍ଥାରେ ସୁଧାର ଆଣିବାର ଉଦ୍ଦେଶ୍ୟ ରହିଛି । ସୂଚନାଯୋଗ୍ୟ ଯେ, ଚିଟ୍ ଫଣ୍ଡ କମ୍ ଆୟକାରୀ ପରିବାରଙ୍କ ଭିତରେ ଲୋକପ୍ରିୟ ହୋଇଥିଲା । ଗ୍ରାମୀଣ ଅର୍ଥନୀତି ଉପରେ ଗଭୀର ପ୍ରଭାବ ରହିଥିବା ଚିଟ୍ ଫଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଚିଟ୍ ଫଣ୍ଡ ଆଇନ ୧୯୮୨ରେ ସଂଶୋଧନ କରାଯାଇଛି । ଇଣ୍ଡିଭିଜୁଆଲଙ୍କ ଦ୍ୱାରା ପରିଚାଳିତ ଚିଟଫଣ୍ଡ ସ୍କିମରେ ସର୍ବାଧିକ ୩ ଲକ୍ଷ ଟଙ୍କାର ଜମା ରଖିହେବ, ଯାହାକି ପୂର୍ବରୁ ୧ ଲକ୍ଷ ଟଙ୍କା ଥିଲା । ଅନ୍ୟପକ୍ଷରେ ପାର୍ଟନରଶିପ୍ ଫାର୍ମଗୁଡ଼ିକ ୧୮ ଲକ୍ଷ ଟଙ୍କା ଯାଏ ଜମା ନେଇପାରିବେ । ଏହା ପୂର୍ବରୁ ୬ ଲକ୍ଷ ଟଙ୍କା ଥିଲା । ଏହି ବିଲ୍ରେ ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗଠନ ପାଇଁ ମଧ୍ୟ ପ୍ରସ୍ତାବ ରହିଥିଲା । ଏହା ଗଠନ ହେବା ସହ ପୂର୍ବ ଡ୍ରାଫ୍ଟକୁ ସମୀକ୍ଷା କରିଥିଲା । ତେବେ ନିର୍ବାଚନ ସହ ଏହାର ବୈଧତାରେ ଅନ୍ତ ଘଟିଛି । ଏହି ବିଲ୍ରେ ଆସିଥିବା ପରିବର୍ତ୍ତନ ଅନୁଯାୟୀ, ଫଣ୍ଡ ପରିଚାଳନା କରୁଥିବା ଜମା ଉପରେ ସର୍ବାଧିକ ୫%ରୁ ୭% କମିଶନ୍ ନେଇପାରିବେ । ସୂଚନାଯୋଗ୍ୟ ଯେ, ଶାରଦା ଚିଟଫଣ୍ଡ, ରୋଜ୍ ଭ୍ୟାଲି ଏବଂ ଅନ୍ୟ କିଛି ସଂସ୍ଥା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟର ଲୋକେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ।


