ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲାରେ ଥାଲାସେମିଆ ହେମୋଫିଲିଆ ସିକିଲ ସେଲ ଭିନ୍ନକ୍ଷମଙ୍କ ନିମନ୍ତେ ଚିହ୍ନଟ,ସଚେତନତା ଶିବିର ଅନୁଷ୍ଠିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୁଲ୍ୟରେ ପୈାରସଂସ୍ଥା ଟାଉନହଲ ପରିସରରେ ଗୁରୁବାର ଥାଲାସେମିଆ ହେମୋଫିଲିଆ ଓ ସିକିଲ ସେଲ ଭିନ୍ନକ୍ଷମଙ୍କ ଚିହ୍ନଟ, ସଚେତନତା ଓ ପ୍ରମାଣପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ସମର୍ଥ ବର୍ମା, ସହକାରୀ ଜିଲ୍ଲାପାଳ(ପ୍ରଶିକ୍ଷାର୍ଥୀ) ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ରାଜ୍ୟ ଥାଲାସେମିଆ ସୋସାଇଟିର ସଭାପତି ବିଜୟ କୁମାର ରାଉତ, ସମ୍ପାଦକ ନିରାକାର ପଣ୍ଡା, ଭୂବନେଶ୍ୱର କିମସ ହସପିଟାଲର ହେମାଟୋଲୋଜୀ ବିଭାଗ ମୁଖ୍ୟ ଡା. ପଲାସ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଭିନ୍ନକ୍ଷମ ଥାଲାସେମିଆ ପିଲାମାନଙ୍କ ଦ୍ୱାରା କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଜିଲ୍ଲାପାଳ ଶ୍ରୀ ବର୍ମା ବିଭିନ୍ନ ବର୍ଗର ଭିନ୍ନକ୍ଷମମାନଙ୍କ ପାଇଁ ପର୍ଯ୍ୟାୟ କ୍ରମେ ଏଭଳି ଶିବିରର ଆୟୋଜନ କରାଯାଇ ସେମାନଙ୍କ ହକ ସେମାନଙ୍କୁ ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଥିଲେ । ଏଥିସହିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ କିଭଳି ଆଗକୁ ଅଗ୍ରସର ହେବ ସେଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉତ୍ସବରେ ଉପସ୍ଥିତ ଥିବା ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ମିଶ୍ର ବାଲ୍ୟାବସ୍ଥାରୁ ଏହି ରୋଗ ଚିହ୍ନଟ କରାଯାଇପାରିଲେ ରୋଗୀକୁ ସହଜରେ ଭଲ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କିମସ ହସପିଟାଲର ଡା. ଦାସ ଥାଲାସେମିଆ ରୋଗୀକୁ ଚିହ୍ନଟର ଉପାୟ ସମ୍ପର୍କରେ ଏକ ଚିତ୍ର ଉପସ୍ଥାପନା କରିଥିଲେ । ଥାଲାସେମିଆ ସୋସାଇଟିର ସମ୍ପାଦକ ଶ୍ରୀ ପଣ୍ଡା ସରକାରଙ୍କ ଠାରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ଅଧିକ ପ୍ରସାରିତ କରିବା ନିମନ୍ତେ ଦାବି କରିଥିବା ବେଳେ ବାକି ରହିଯାଇଥିବା ହିତାଧିକାରୀମାନଙ୍କୁ ସାମିଲ କରାଯିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । ସଭାପତି ଶ୍ରୀ ରାଉତ ଏଭଳି କାର୍ଯ୍ୟକ୍ରମର ଅଧିକ ସଫଳତା ତଥା ରାଜ୍ୟ ବ୍ୟାପି ସବୁ ଜିଲ୍ଲାରେ କରାଯିବା ପାଇଁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଥିଲେ । ଉତ୍ସବର ମୁଖ୍ୟବକ୍ତା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଆର.ଏନ. ଶତପଥୀ ବକ୍ତବ୍ୟରେ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଏହିଭଳି ଭିନ୍ନକ୍ଷମଙ୍କୁ ମାସିକ ୫ଶହ ଟଙ୍କା ଗସ୍ତ ଖର୍ଚ୍ଚ ଓ ଏକ ରକ୍ତ ପୁଡିଆ ଯୋଗାଇ ଦିଆଯାଉଥିବା ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ରୋଗୀମାନଙ୍କ ରକ୍ତ ଚିହ୍ନଟ ନିମନ୍ତେ ଯୋଜନା କରାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୭୯ଜଣ ଭିନ୍ନକ୍ଷମ ହିତାଧିକାରୀ ଉପସ୍ଥିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନଲାଇନରେ ଆବେଦନ କରିଥିବା ମାତ୍ର ୩୩ଜଣଙ୍କୁ ପରୀକ୍ଷା କରାଯାଇ ୨୯ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ପାଇଁ ମେଡିକାଲ ବୋର୍ଡ ସ୍ଥିର କରିଥିଲା । ଶେଷରେ ନିମାଇଁ ଚରଣ ମାନସିକ ନ୍ୟୂନତା ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


