ବୀମାରାଶି ବୃଦ୍ଧି ଦାବିରେ ଆନ୍ଦୋଳନ ଡ଼ାକରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓ.ୟୁ.ଜେ ଭବନଠାରେ ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଓ.ୟୁ.ଜେ. ରାଜ୍ୟ ସଭାପତି ତଥା ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆର ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଛାଡ଼ି ଗଣମାଧ୍ୟମ ଯେଉଁଭଳି ଗୁରୁତ୍ୱହୀନ ପ୍ରସଙ୍ଗ ପଛରେ ଧାଇଁଛି, ଏଥିନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । କାହାର ବ୍ୟକ୍ତିଗତ ସ୍ୱାଧୀନତାରେ ହସ୍ତକ୍ଷେପ ନକରି ସାମ୍ବାଦିକ ଓ ଗଣମାଧ୍ୟମ ଲକ୍ଷ୍ମଣରେଖା ପରିଧିରେ ରହି କାର୍ଯ୍ୟ କରିବା ଉଚିତ୍ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଏହି ଆଲୋଚନାରେ ମୁଖ୍ୟତଃ ସାମ୍ବାଦିକମାନଙ୍କ ବୀମା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ମାସିକ ୨୦ ହଜାର ଟଙ୍କା ପେନସନ ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖାଯାଇଛି । ଏଥିସହିତ ରାଜ୍ୟର ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢି ଚାଲିଥିବାରୁ ତୁରନ୍ତ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ବୈଠକରେ ଦାବି କରାଯାଇଛି । ଏହି ଦାବି ନେଇ ଓ.ୟୁ.ଜେ ଗତ ମାସରେ ଗୁଣୁପୁରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।
ରାଜ୍ୟ ସରକାର ତୁରନ୍ତ ଏହି ଦାବି ପ୍ରତି ଧ୍ୟାନ ନ ଦିଅନ୍ତି, ତେବେ ଆସନ୍ତା ଦିନରେ ଓ.ୟୁ.ଜେ ସାରା ଓଡ଼ିଶାରେ ସମଗ୍ର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭୁବନେଶ୍ୱରଠାରେ ଏକ ବିଶାଳ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଓ.ୟୁ.ଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ଉପସଭାପତି କିଶାନ ରାଉତ, ରାଜେଶ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ ପାଇକରାୟ, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, କାର୍ଯ୍ୟାଳୟ ସମ୍ପାଦକ ସୁଧାଂଶୁ ଶେଖର ପରିଡ଼ା, ସଂଗଠନ ସମ୍ପାଦକ ଦୀପକ ଶତପଥୀ, ବିଜୟ ସାହୁ, ପୂର୍ବତନ ସଭାପତି ପ୍ରକାଶ ପାଣିଗ୍ରାହୀ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, ଆଚାର୍ଯ୍ୟ ବିଶ୍ୱରଞ୍ଜନ, ବିରଷ୍ଠ ସାମ୍ବାଦିକ ଆଦିତ୍ୟ ମେକାପ, କ୍ଷେତ୍ରବାସୀ ମହାକୁଡ଼, ପ୍ରମୋଦ ସାମନ୍ତରାୟ ଓ ସୁଧାଂଶୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ