ରାଜ୍ୟସ୍ତରୀୟ ବିଶାଳ ମହିଳା ପାଇକ ଆଖଡା ସମାବେଶ, ଜନଗର୍ଜନ ଶୋଭାଯାତ୍ରା, ବିଜୟ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୧୭ ମସିହାର ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନର ଉଦ୍‌ଯାପନ ଉତ୍ସବରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇର ପାଦଦେଶରେ ଓଡ଼ିଶାର ବୀରତ୍ୱପୂର୍ଣ୍ଣ ଗୌରବାଜ୍ଜ୍ୱଳ ଐତିହ୍ୟର ସ୍ମାରକୀ ସ୍ୱରୂପ ଏକ ବିଶାଳ ସ୍ମୃତିସ୍ତମ୍ଭ ତଥା ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏଥିପାଇଁ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୦ କୋଟି ଟଙ୍କା ଆଇଓସିଏଲ୍‌ରୁ ପ୍ରଦାନ କରିଥିଲେ । କିନ୍ତୁ ବରୁଣେଇ ପାଦ ଦେଶରେ ଏହି ସ୍ମାରକୀ ନିର୍ମାଣ ପାଇଁ ଜାଗା ନ ମିଳିଥିବାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରୁ ନଥିଲା । ଏଥିପାଇଁ ଓଡ଼ିଶା ବୀର ମହସଂଘ ପକ୍ଷରୁ ସମଗ୍ର ଓଡ଼ିଶାର କୋଣ ଅନୁକୋଣରୁ ପାଇକ ଆଖଡ଼ା ଦଳମାନଙ୍କୁ ଧରି ଖୋର୍ଦ୍ଧାର ବରୁଣେଈ ପୀଠରୁ ରାଜଧାନୀର ରାଜରାସ୍ତା ଉପରେ ୩ ଦଫା ଦାବି ନେଇ ଜନଗର୍ଜନ ସମାବେଶମାନ ଆୟୋଜନ କରି ଦାବୀ ଗୁଡ଼ିକ ପୂରଣ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା । ଏହି ଦାବୀଗୁଡ଼ିକ ମଧ୍ୟରେ ଥିଲା ବରୁଣେଇ ପାଦଦେଶରେ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ଜାଗା ପ୍ରଦାନ କରିବା, ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ଓ ଶିଖ୍‌, ବୁର୍ଖା, ଆସାମ ରେଜିମେଣ୍ଟ ପରି ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରିବା ସହ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ସୌଭାଗ୍ୟର କଥା ରାଜ୍ୟ ସରକାର ବରୁଣେଇ ପାଦ ଦେଶରେ ପ୍ରାୟ ୩୨ କୋଟି ଟଙ୍କାର ୧୦ ଏକର ଜାଗାକୁ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି । ଅନୁରୂପ ଭାବରେ କେନ୍ଦ୍ର ସରକାର ୧୯୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି । ଏହି ସ୍ମୃତି ସ୍ମାରକୀ ସମଗ୍ର ଓଡ଼ିଆ ଜାତର ଅସ୍ମିତା, ବୀରତ୍ୱପୂର୍ଣ୍ଣ ଐତିହ୍ୟର ବାର୍ତ୍ତା ସମଗ୍ର ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ସହିତ ପର୍ଯ୍ୟଟକ ଓ ଗବେଷକମାନଙ୍କୁ ଆକୃଷ୍ଟ କରିବ । ଏହି ଦୃଷ୍ଟିକୋଣରୁ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଆଜି ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ଆସି ଭୁବନେଶ୍ୱରଶ୍ୱରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରୁ ଏକତ୍ରିତ ହୋଇଥିଲେ । ସେଠାରୁ ଯୁଦ୍ଧବାଦ୍ୟର ତାଳେ ତାଳେ ଖଣ୍ଡା, ତଲୱାର, ଗଦା, ମୁଦ୍‌ଗର, ବାଡ଼ି ଆଦି ଚାଳନା କରି ମହିଳା ପାଇକ ଆଖଡ଼ା ଦଳମାନ ଏକ ଜନଗର୍ଜନ ଶୋଭାଯାତ୍ରାରେ ଆସି ଜୟଦେବ ଭବନ ନିକଟରେ ଏକ୍ରତିତ ହୋଇଥିଲେ । ସେଠାରେ ପାଇକ ଆଖଡ଼ା ପ୍ରଦର୍ଶନ କରି, ବାଣ ଫୁଟାଇ ହରିବୋଲ, ହୁଳହୁଳି ପକାଇ ବିଜୟ ପର୍ବ ପାଳନ କରିଥିଲେ । ଏହି ଅବସରରେ ଓଡ଼ିଶାରୁ ଆସିଥିବା ପାଇକ ବାହିନୀ ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଚନ୍ଦନଙ୍କୁ ପାଇକ କୁଳର ମଉଡ଼ ମଣି ଉପାଧି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଜୟଦେବ ଭବନ ପରିସରରେ ଆୟୋଜିତ ବିଜୟ ଉତ୍ସବର ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସ୍ୱାଗତ ଭାଷଣ ଦେବା ସହ ଓଡ଼ିଆ ଜାତିର ଅସ୍ମିତା ଓ ଗୌରବଜ୍ଜ୍ୱଳ ଇତିହାସର ସ୍ୱର୍ଣ୍ଣାବ ଚିତ୍ର ଭାବରେ ପାଇକ ସ୍ମାରକୀ ଓ ସ୍ମୃତିସ୍ତମ୍ଭ ସମଗ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଆ ଜାତିର ବୀରତ୍ୱପୂର୍ଣ୍ଣ ଇତିହାସର ପରିଚୟ ପ୍ରଦାନ କରିବ ବୋଲି କହିଥିଲେ । ଏଥିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଚନ୍ଦନ, ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ବିଶିଷ୍ଟ ସମାଜସେବୀକା ସ୍ମିତା ଭ୍ରମରବର ରାୟ, ପୂର୍ଣ୍ଣିମା ଦାସ, ଲିପ୍ସା ମହାନ୍ତି, ଡଃ ଅଶୋକ ସୁନ୍ଦରାୟ, ଦୀପକ ଗଡ଼ନାୟକ, ରଞ୍ଜନ କୁମାର ବିଶୋୟୀ, ଅବନୀ ଜେନାଙ୍କ ସମେତ ବହୁ ପାଇକ ସର୍ଦ୍ଦାର, ପାଇକ ଗୁରୁ, ଦଳେଇ, ଦଳବେହେରା ପ୍ରମୁଖ ଅତିଥି ରୂପେ ଯେଗଦେଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦୃଢ ଦାବି ଉପସ୍ଥାପନ କରିଥିଲେ । ଏହାପରେ ପ୍ରତ୍ୟେକ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ଓ ପାଇକ ସର୍ଦ୍ଦାର ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ସୂଚକ କୃତଜ୍ଞତା ପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ