ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁ ନ ଥିବାରୁ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ମାସରେ ଜଣେ ନୂତନ ଡାକ୍ତର ହସ୍ପିଟାଲରେ ନିଯୁକ୍ତି ପାଇଥିଲେ। ସେ କିଛିଦିନ କାର୍ଯ୍ୟକରି ଆଉ ଆସୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୁଡ଼ାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ଗୁମିକିଆ, ତିଲୋରୀ, ବୁଡ଼ାଗୁଡା ପଞ୍ଚାୟତ ସମେତ ବାଲିଗୁଡ଼ା ବ୍ଲକର ଋତୁଙ୍ଗିଆ, କୋଟଗଡ଼ ବ୍ଲକର ପକାରୀ, ରାଣୀପାଙ୍ଗା ଆଦି ଅଞ୍ଚଳର ପ୍ରାୟ ୮ଟି ପଞ୍ଚାୟତର ପ୍ରାୟ ୩୦ହଜାର ଲୋକ ନିର୍ଭର କରୁଛନ୍ତି। ହେଲେ ସେଠାରେ ନିୟମିତ ଡାକ୍ତର ଓ ଫାର୍ମାସିଷ୍ଟ କେହି ରହୁ ନ ଥିବା ବେଳେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଜଣେ ଆଟେଣ୍ଡାଣ୍ଟରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ରୋଗୀଙ୍କୁ ଆଟେଣ୍ଡାଣ୍ଟମାନେ ଚିକିତ୍ସା କରୁଥିବା ବେଳେ ଅନେକ ସମୟରେ ମରଣମୁହଁରେ ରୋଗୀ ପଡୁଛନ୍ତି। ଯଦି ବି କେହି ଡାକ୍ତର ଉପସ୍ଥିତ ଥାନ୍ତି ସାଧାରଣ ରୋଗ ପାଇଁ ମଧ୍ୟ ଦାରିଙ୍ଗବାଡ଼ି, ବାଲିଗୁଡ଼ା କିମ୍ବା ଫୁଲବାଣୀକୁ ରେଫର କରି ଦିଅନ୍ତି । ଫଳରେ ରୋଗୀ ଓ ପରିବାର ଖର୍ଚ୍ଚାନ୍ତରେ ପଡ଼ିଥାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରିୟଦର୍ଶିନୀ ତ୍ରିପାଠୀ କହିଛନ୍ତି, ଡାକ୍ତରଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ଛୁଟିରେ ଯାଇଛନ୍ତି। ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି, ଡାକ୍ତର ବୁଡ଼ାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ରହିଥିବା ତାଙ୍କ ନିକଟରେ କୌଣସି ଖବର ନାହିଁ କି ସେ କୌଣସି ଛୁଟି ଦରଖାସ୍ତ ଦେଇ ନ ଥିବା କହିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନ୍‌ଚାର୍ଜ ସାମନ୍ତରାୟ ଓ ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ କଥାରେ କୌଣସି ତାଳମେଳ ନ ଥିବାରୁ ସତ୍ୟତା କିଛି ଜଣାପଡୁ ନାହିଁ। ପ୍ରକାଶ ଯେ, ବୁଡ଼ାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଭାବେ ଗତ ୨୬ରେ ଜଣେ ଡାକ୍ତର ନିଯୁକ୍ତି ପାଇଥିଲେ। ପରେ ୫ ଦିନ ପାଇଁ ତାଙ୍କର ଏକ ଟ୍ରେନିଂ ପଡ଼ିଥିଲା। ଟ୍ରେନିଂ ସରିଥିଲେ ସୁଦ୍ଧା ଡାକ୍ତର ଜଣକ କାହିଁକି ଆସୁନାହାନ୍ତି ଓ ଛୁଟି ଦରଖାସ୍ତ ନ ଦେଇ କିଭଳି ସେ ରହିଛନ୍ତି ତା’ର ତଦନ୍ତ କରାଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ସାମନ୍ତରାୟ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ