ବେସାହାରା ପ୍ରାଣୀଙ୍କ ସାହାରା ୯ ବର୍ଷର ବାଳକ
ଅନେକ ସମୟରେ ପାଖରେ ଟଙ୍କା ଥାଇ ବି ମନରେ ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ନ ଥିବା ଯୋଗୁ ଲୋକେ ଅନ୍ୟର ଅସୁବିଧା ଦେଖି ବି ଅଣଦେଖା କରିଦିଅନ୍ତି । ତେବେ ଋଷର ଜଣେ ୯ ବର୍ଷର ବାଳକ ପାଭେଲ ଆବ୍ରାମଭ୍ଙ୍କ ପାଖରେ ନଥିଲା ଅର୍ଥ । ହେଲେ ମନରେ ଥିଲା ସାହାଯ୍ୟ କରିବାର ମନୋବୃତ୍ତି । ତେଣୁ ଏହି ଇଚ୍ଛାକୁ ପୂରଣ କରିବା ଲାଗି ସେ କୁକୁର, ବିଲେଇ ଭଳି ବିଭିନ୍ନ ପ୍ରାଣୀଙ୍କ ପେଣ୍ଟିଂ କରିବା ଆରମ୍ଭ କଲେ । ଆଉ ତା’କୁ ବିକ୍ରି କଲେ । ଯେଉଁ ଅର୍ଥ ମିଳିଲା ସେଥିରେ ସେ ନିଜ ପାଇଁ ଖେଳଣା ନ କିଣି ବରଂ କିଣିଲେ ବେସାହାରା କୁକୁର, ବିଲେଇଙ୍କ ପାଇଁ ଖାଦ୍ୟ । ଆଉ ତା’କୁ ସେହି ପ୍ରାଣୀ ରହୁଥିବା ଆଶ୍ରୟସ୍ଥଳରେ ଦାନ କଲେ । ପାଭେଲ ଓ ତାଙ୍କ ମା’ ଏହି ଅଭିଯାନର ନାଁ ଦେଲେ “କାଇଣ୍ଡ ପେଣ୍ଟବ୍ରଶ୍’? ଏକ ବର୍ଷ ତଳେ ପାଭେଲ ଆରମ୍ଭ କରିଛନ୍ତି ଏହି ମହତ କାର୍ଯ୍ୟ । ଏଥିରେ ତାଙ୍କ ମା’ ସହଯୋଗ କରୁଛନ୍ତି । ପାଭେଲ ବିଭିନ୍ନ ପୋଷା ପ୍ରାଣୀଙ୍କ ପେଣ୍ଟିଂ କରନ୍ତି । ଆଉ ତାଙ୍କ ମାଲିକମାନେ ଖୁସିରେ ଅର୍ଥ ପ୍ରଦାନ କରନ୍ତି । ତାଙ୍କର ଏହି ମହତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଏବେ ସ୍ପେନ, ଜର୍ମାନୀରୁ ବି ପେଣ୍ଟିଂ ଅର୍ଡର ଆସୁଛି । ପାଭେଲ ପେଣ୍ଟିଂ ବଦଳରେ ଅର୍ଥ ନଚେତ୍ ପ୍ରାଣୀ ଖାଇବା ଲାଗି ଖାଦ୍ୟ ଓ ଔଷଧ ବରାଦ କରନ୍ତି । ଆଉ ତା’କୁ ବେସାହାରା ପ୍ରାଣୀ ରହୁଥିବା ଆଶ୍ରୟସ୍ଥଳରେ ଦାନ କରନ୍ତି । ଭବିଷ୍ୟତରେ ପାଭେଲ ନିଜର ଏକ ପ୍ରାଣୀ ଆଶ୍ରୟସ୍ଥଳ କରିବାକୁ ଯୋଜନା ରଖିଛନ୍ତି ।


