ବ୍ରହ୍ମପୁରବାସୀଙ୍କ ସମସ୍ୟାକୁ ଅଣଦେଖା କରି ମଦବିକ୍ରୀରେ ବ୍ୟସ୍ତ ରାଜ୍ୟସରକାର: ବିଜେପି
ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁର ସହର କଥା ଆଲୋଚନା କଲାବେଳେ ସରକାର କୌଣସି ଆଇନକୁ ମାନୁଥିବା ପରିଲକ୍ଷିତ ହେଉନାହିଁ । ଯେଉଁ ଭଳିଭାବେ ସହରରେ ମଦଦୋକାନ ଖୋଲାଯାଇଛି ସରକାରୀ କଳ ଅସାଧୁ ବ୍ୟବସାୟୀଙ୍କ ଅକ୍ତିଆରରେ ରହିଥିବା ଭଳି ଅନୁମେୟ । ସମସ୍ତ ସରକାରୀ ନିୟମକୁ ଉଲଂଘନ କରି ତଥା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅମାନ୍ୟ କରି ସ୍କୁଲ, କଲେଜ,ଏନ୍.ହେଚ୍ କଡରେ , ଧର୍ମାନୁଷ୍ଠାନ ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଯେଉଁଭଳି ଭାବରେ ମଦ ଦୋକାନ ଗୁଡିକ ଖୋଲା ଯାଇଛି , ତାହା ବ୍ରହ୍ମପୁରବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବ୍ରହ୍ମପୁର ହରଡାଖଣ୍ଡି ଛକ ଠାରୁ – ଗୋଷାଣିନୂଆଗାଁ ହେଉ କିମ୍ବା ପୁରୁଣା ବ୍ରହ୍ମପୁର ଠାରୁ ଆମ୍ବପୁଆ ପର୍ଯ୍ୟନ୍ତ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଉଲଘଂନ କରି ୨୦ରୁ ଉର୍ଦ୍ଧ୍ୱ ଦେଶୀ, ବିଦେଶୀ ମଦ ଦୋକାନ ଗଢ଼ି ଉଠିଛି ଯାହାକି ରାଜ୍ୟ ସରକାରଙ୍କର ସଚ୍ଚୋଟତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ଏହାର ଉଦାହରଣ (୧) ଆସ୍କାରୋଡ ଏନ୍.ହେଚ କଡରେ ଥିବା ଏକ ମଦ ଦୋକାନ ଯାହାର ସାମ୍ନାରେ ୟୁ.ପି ସ୍କୁଲ ଓ କଡରେ ବିନାୟକ ଆଚାର୍ଯ୍ୟ ହାଇସ୍କୁଲ ଓ ନିକଟରେ ଗ୍ରାମଦେବତି ମନ୍ଦିର ରହିଛି । (୨) ପୁରୁଣା ବ୍ରହ୍ମପୁର ଜଗବନ୍ଧୁ ସାହି ନିକଟସ୍ଥ ପୁରୁଣା ବ୍ରହ୍ମପୁର ହାଇସ୍କୁଲ, ୟୁ.ପି ସ୍କୁଲ ଓ ବାଣାଲିଙ୍ଗେଶ୍ୱର ମନ୍ଦିର ପାଶ୍ୱର୍ରେ (୩) ରାମଲିଙ୍ଗେଶ୍ୱର ମନ୍ଦିରକୁ ଲାଗିଥିବା ବେଳେ ଅନ୍ୟପଟେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅବସ୍ଥିତ (୪) ଜନ ଗହଳୀପୂର୍ଣ୍ଣ ପୁରୁଣା ବସଷ୍ଟାଣ୍ଡ ଉପରେ ଥିବା ୩ଟି ମଦଦୋକାନ ସମ୍ମୁଖରେ ଟ୍ରାଫିକ ପୋଲିସ ଷ୍ଟେସନ୍ ଓ ପାଶ୍ୱର୍ରେ ଚର୍ଚ୍ଚ, ଯୋସେଫ୍ କନ୍ଭେଂଟ ସ୍କୁଲ ମଧ୍ୟ ରହିଛି । (୫) ନେସ୍ନାଲ୍ ହାଇୱେ ଟଟା ବେଂଜ ଛକରେ ଲାଇସେନ୍ସ ପ୍ରାପ୍ତ ଦୋକାନ ଗୋଟିଏ ପଟେ କେସି ପବ୍ଲିକ୍ ସ୍କୁଲ୍ ଅନ୍ୟପଟେ କୋର୍ଟପେଟା ହାଇସ୍କୁଲ ଅବସ୍ଥିତ ଏହିଭଳି ବିଭିନ୍ନ ୱାଡ୍ରେ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନ ଗୁଡିକର ଲାଇସେନ୍ସ ରଦ୍ଦ କରାଯାଉ ନଚେତ୍ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ବ୍ରହ୍ମପୁରବାସୀଙ୍କ ମୁଖ୍ୟ ସମସ୍ୟା ପିଇବାପାଣି ହୋଇଥିବା ବେଳେ ଜାନିବିଲିରୁ ପାଣି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବା ସହ ଆପଣଙ୍କ ଦ୍ୱାରା ଦୁଇବର୍ଷ ହେଲା ଉଦ୍ଘାଟନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ଆସିଲା ନାହିଁ । ବ୍ରହ୍ମପୁର ସହରରେ ଥିବା ଡ୍ରେନ୍ ଗୁଡିକ ଦୀର୍ଘ ୨୧ବର୍ଷ ଶାସନ କାଳରେ ସୁଧୁରି ପାରିଲା ନାହିଁ , ଆଜି ମଧ୍ୟ ଅସରାଏ ବର୍ଷା ହେଲେ ବ୍ରହ୍ମପୁର ସହର ଜଳାହ୍ନବ ହୋଇ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ବ୍ରହ୍ମପୁର ସହରରେ କମିଶନରେଟ ବ୍ୟବସ୍ଥା ଲାଗୁହେବ ବୋଲି ନିଷ୍ପତି ଘୋଷଣା କଲେ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ । ଏମ୍.କେ.ସି.ଜି. ମେଡିକାଲ କଲେଜରେ ଖାଲିଥିବା ଡାକ୍ତର ପଦବୀ ପୂରଣ କରିବା, ନ୍ୟୁରୋଲୋଜୀ ଓ କାଡିଓଲୋଜି ଭଳି ଅତି ସମ୍ବେଦନଶୀଳ ବିଭାଗକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ବର୍ଣ୍ଣ ୟୁନିଟ, ଓ ଟ୍ରୋମାକେୟାରକୁ ଏକ ମାସ ଭିତରେ କାର୍ଯ୍ୟକ୍ଷମ କରିବାକୁ ଦେଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ଦୀର୍ଘ ୨୧ବର୍ଷରୁ ଉର୍ଦ୍ଧ୍ୱ ଶାସନକାଳରେ ଗଂଜାମ ଜିଲ୍ଲାରେ ଛୁଂଚି କାରଖାନା ଟିଏ ମଧ୍ୟ ହେଲା ନାହିଁ, ଯେଉଁଥିପାଇଁ ଆଜି ଓଡିଶାର ଗଂଜାମ ଜିଲ୍ଲାରୁ ସର୍ବାଧିକ ୭ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ନିଜ ଜୀବୀକା ପାଇଁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯିବାକୁ ବାଧ୍ୟ ହୋଇଛନ୍ତି । ଖଲିକୋଟ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲେ ମଧ୍ୟ ସେଠାରେ ଖାଲିଥିବା ଅଧାରୁ ଅଧିକ ଶିକ୍ଷକ ପଦବୀ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ନିର୍ବାଚନ ଆସିଲେ ଜିଲ୍ଲାରେ ନିଜେ ଆପଣ ବ୍ରହ୍ମପୁର ସହରର ଉନ୍ନତି ମୋର ଦାୟୀତ୍ୱ ବୋଲି କହୁଥିଲେ ମଧ୍ୟ ଆଜି ବ୍ରହ୍ମପୁର ସହର ସବୁଥିରେ ଅବହେଳିତ । ଭାରତୀୟ ଜନତା ପାର୍ଟି ଆପଣଙ୍କୁ ଅନୁରୋଧ କରୁଛି ଯେ ବ୍ରହ୍ମପୁର ସହରରେ ବର୍ତମାନ ଜନଗହଳୀପୂର୍ଣ୍ଣ ସ୍ଥାନ ଓ ସାହି ଗଳି କନ୍ଦିରେ ମଧ୍ୟ ଅବାଧରେ ମଦ ବିକ୍ରି ଚାଲିଛି ଯେଉଁଥି ପାଇଁ ସାଧାରଣ ଜନତା ବାଟ ଚାଲିବାକୁ ଭୟ କରୁଛନ୍ତି ଓ ମହିଳା ମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଏହିଭଳି ସ୍ଥିତିରେ ଅବକାରୀ ବିଭାଗ ଜାଣି ଶୁଣି ଚୁପ୍ ରହିବା ମଦ ମାଫିଆଙ୍କ ଦୌରାତ୍ମ୍ୟକୁ ପ୍ରଶ୍ରୟ ଦେଉଛି । ତେଣୁ ଆମର ଆଶା ବେଆଇନ୍ ଭାବେ ସମସ୍ତ ନିୟମକୁ ଜଳାଂଜଳୀ ଦେଇ ଗଢ଼ି ଉଠିଥିବା ମଦ ଦୋକାନ ଗୁଡିକୁ ନିଷିଦ୍ଧ ଘୋଷଣା କରନ୍ତୁ, ଯଦି ଏକ ମାସ ମଧ୍ୟରେ ଆପଣ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ବିଜେପି ଉକ୍ତ ବେଆଇନ ଦୋକାନ ଗୁଡିକୁ ବନ୍ଦ କରିବାର ପଦକ୍ଷେପ ନେବ ସେଥିପାଇଁ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତିଙ୍କ ନେତୢତ୍ୱରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ଶରତ କୁମାର ସାହୁ, ନୀରଞନ ପାଣିଗ୍ରାହୀ, ଏନ୍.ରାଜେନ୍ଦ୍ର କୁମାର, ମଦନ ମୋହନ ପାତ୍ର, ପ୍ରଦୀପ ମିଶ୍ର, ସୁବାଷିନୀ ପଟନାୟକ, ଶିବ ଅଧିକାରୀ, କିରଣ କୁମାର ସାହୁ, ଶିବ ଶଙ୍କର ନାୟକ, ସୁଭାଶୀଷ ସାହୁ, ତୁମ୍ୱେଶ୍ୱର ନାୟକ, ବିକାଶ ପାଣିଗ୍ରାହୀ, ପ୍ରଣୟ ମହାପାତ୍ର, ମଧୁସୂଦନ ସାହୁ, କମଲ ପାତ୍ର, ଜଗଦୀଶ ପ୍ରଧାନ, ମନୋଜ ମହାରଣା, ରମେଶ ଚନ୍ଦ୍ର ମହାନ୍ତି, ବାଳକୢଷ୍ଣ ସାମନ୍ତରା, ଗଣେଷ ପାଣିଗ୍ରାହୀ, ଗୌରୀ ମହାନ୍ତି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


