ତରଡିପାଳ ପଂଚାୟତ ପୋଖରୀକୂଳ ପ୍ରାଥମିକ ସ୍କୁଲକୁ ବନ୍ଦ କରାନଯାଉ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ପଂଚାୟତର ପୋଖରୀକୂଳ ସରକାରୀ ପ୍ରାଥମିକ ବିଦ୍ୟାଳୟଟିକୁ ବନ୍ଦ ନକରାଯିବା ପାଇଁ ପୋଖରୀକୂଳ ପଡାଗ୍ରାମର ଦଳିତ ପରିବାରର ସଦସ୍ୟମାନେ ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ପୋଖରୀକୂଳ ପଡାଗ୍ରାମ ଦଳିତ ବସ୍ତିରେ ସମସ୍ତ ପରିବାର ଗୁଡିକର ମୁଖ୍ୟ ଦିନମଜୁରିଆ ଶ୍ରେଣୀର । ପ୍ରତ୍ୟେକ ଦୈନିକ ଅନ୍ୟର ମୁଲ ଲାଗିଲେ ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାଏ । ସେହି ଦଳିତ ବସ୍ତିର ପିଲାମାନଙ୍କ ପାଠପଢା ନିମନ୍ତେ ବହୁ ବର୍ଷର ଦାବି ପରେ ୧୯୮୯ ମସିହାରେ ସେଠାରେ ପ୍ରାଥମିକ ବିଦ୍ୟାଳୟଟିଏ ସ୍ଥାପନ କରାଯାଇଥିଲା । ସେହି ବିଦ୍ୟାଳୟରେ କ୍ରମାଗତ ଭାବେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଥାଇ ପାଠପଢା ଚାଲିଆସୁଥିଲା । ବର୍ତ୍ତମାନ ସେହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୪୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅପେକ୍ଷାରତ ଥିବାବେଳେ ହଠାତ କୈାଣସି ପୂର୍ବ ସୂଚନା ନଦେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ବନ୍ଦ କରିଦିଆଯାଇଛି । ଯଦ୍ୱାରା ଏହା ଅଭିଭାବକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅଭିଭାବକମାନେ ଶୁଣିବାକୁ ପାଉଛନ୍ତି ଯେ ପୋଖରୀକୂଳ ପ୍ରାଥମିକ ବିଦ୍ୟାଳୟଟିକୁ ଚକ୍ରାନ୍ତମୂଳକ ଭାବରେ ବନ୍ଦ କରାଯାଇ ସେହି ସ୍କୁଲର ପିଲାମାନଙ୍କୁ ବାଲିକୁଦା ବିଦ୍ୟାଳୟରେ ନାମଲେଖାଇବାକୁ ଯୋଜନା କରାଯାଇଛି । ଯଦି ଏଭଳି ହୁଏ ତେବେ ଏହି ଦଳିତବସ୍ତିର ପିଲାମାନଙ୍କ ପାଇଁ ତାହା ଅଭିଶାପ ସଦୃଶ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସଂପୃକ୍ତ ବିଦ୍ୟାଳୟର ଗ୍ରାମଶିକ୍ଷା କମିଟିକୁ ମଧ୍ୟ ଅନ୍ଧାରରେ ରଖାଯାଇଥିବା ଅଭିଯୋଗ ହୋଇଛି । କୁନି କୁନି ପିଲାମାନେ ଏକ ବଣଜଙ୍ଗଲପୂର୍ଣ୍ଣ ଖାଲଖମା ମାଟିରାସ୍ତା ଦେଇ ପ୍ରାୟ ୨କିଲୋମିଟର ଚାଲିଚାଲି ଯିବା ପରେ ମୁଖ୍ୟ ରାସ୍ତାରେ ଉଠି ବିଦ୍ୟାଳୟରେ ପହଁଚିବେ । ଏଭଳି ଭାବରେ ବିପଦପୂର୍ଣ୍ଣ ଭାବେ ଦୀର୍ଘପଥ ଚାଲି ଚାଲି ଯାଇ ପାଠପଢିବା ଛୋଟଛୋଟ ପିଲାମାନଙ୍କ ପକ୍ଷରେ ସମ୍ଭବ ହୋଇନଥିବା ବେଳେ ଅନ୍ୟପକ୍ଷରେ ସେମାନଙ୍କ ଜୀବନପ୍ରତି ବିପଦ ମଧ୍ୟ ରହିଛି । ସରକାର ଦଳିତମାନଙ୍କ ଶିକ୍ଷାର ଅଗ୍ରଗତି ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରୁଥିବା ବେଳେ ଏଠାରେ ସେହି ଦଳିତ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ଠପ କରିଦେବା ପାଇଁ ବନ୍ଦୋବସ୍ତ ହେବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର କରାଯିବା କଥା । ତେଣୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସମସ୍ୟାକୁ ଗୁରୁତ୍ୱ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପୂର୍ବକ ପୋଖରୀକୂଳ ବିଦ୍ୟାଳୟଟିର ସୁପରିଚାଳନା କରାଯାଇ ସେଠାରେ ଦଳିତବସ୍ତିର ପିଲାମାନଙ୍କୁ ପାଠପଢିବାର ସୁଯୋଗ ପ୍ରଦାନ କରିବାକୁ ଗ୍ରାମବାସୀ ତଥା ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଭେଟି ବିନମ୍ର ନିବେଦନ କରିଛନ୍ତି । ଗ୍ରାମବାସୀ ତଥା ଅଭିଭାବକଙ୍କ ପକ୍ଷରୁ ନିରଞ୍ଜନ ବାରିକ, ନରୋତ୍ତମ ମଳିକ, ପୁରସ୍ତମ ଦାସ, ମହେଶ୍ୱର ମଳିକ, ଆର୍ତତ୍ରାଣ ମଳିକ, କେଦାର ଚରଣ ମଳିକ, ଶଶୀକାନ୍ତ ମଳିକ, ସରପଂଚ ପ୍ରିୟଦର୍ଶିନି ତରାଇ, ସମିତିସଭ୍ୟ ଝୁନୁଲତା ବେହେରା, ଚନ୍ଦ୍ରଶେଖର ମଳିକ, ନବୀନ ମଳିକ, ଦୁଖି ମଳିକ, ଦଶରଥ ମଳିକ, ବିଶ୍ୱନାଥ ମଳିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି । ଏସମ୍ପର୍କରେ ଅଭିଭାବକମାନେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।


