ବ୍ରହ୍ମପୁରରେ ପବିତ୍ର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେ ନେଇ ଉପଜଲ୍ଲାପାଳ ୱି.କୀର୍ତ୍ତି ୱାସନଙ୍କ ଅଧ୍ୟକତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୈଠକରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ଥିଲା | ଘୋଷଣୀନୂଆଗାଁ, କୋର୍ଟ ପେଟା, ବଡ଼ବଜାର, ଉତ୍କଳ ଆଶ୍ରମ ରୋଡ, ଲାଞ୍ଜିପୋଲ୍ଲି ଓ ଗୋଇଲୁଣ୍ଡି ଇତ୍ୟାଦି ସ୍ଥାନରେ ରଥ ଯାତ୍ରା ହେବ । ବ୍ରହ୍ମପୁର ସହରରେ ଏହି ସମସ୍ତ ଜାଗାରେ ରଥ ଯାତ୍ରା ହେଉଥିବାରୁ ଉପଖଣ୍ଡ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ପବିତ୍ର ରଥଯାତ୍ରାରେ ପ୍ରବଳ ଜନସମାଗମକୁ କୁ ଦୃଷ୍ଟିରେ ରଖି ସହରରେ ପରିମଳ ବ୍ୟବସ୍ଥା , ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ଆଇନ୍ ଶୃଙ୍ଖଳା , ଟ୍ରାଫିକ , ବିଦ୍ୟୁତ ବ୍ୟବସ୍ଥା ସମେତ କୋଭିଡ ନୀତି ନିୟମ ମାନି ସମସ୍ତ କାର୍ଯକ୍ରମ ପରିଚାଳନା କରିବା ପାଇଁ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ରଥ ଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି ପୋଲିସ ପ୍ରଶାସନ ତରଫରୁ କୁହାଯାଇଛି | ଆଜିର ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ମହାନଗର ନିଗମ କମିଶନର ନୀଳମାଧବ ଭୋଇ, ତହସିଲଦାର ରବୀନ୍ଦ୍ର ମିଶ୍ର, ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି,ବୈଦନାଥପୁର ଥାନା ଅଧିକାରୀ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀଗଣ ଯୋଗ ଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ