‘ବ୍ରହ୍ମାସ୍ତ୍ର-୨’ରେ ନଜର ଆସିପାରନ୍ତି ଦୀପ୍ବୀର ଯୋଡ଼ି
ମୁମ୍ବାଇ : ଗତ କିଛି ସମୟ ଧରି ଅୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର-୨’ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଆସୁଛନ୍ତି । ଦୀର୍ଘଦିନ ଧରି ଏହି ଫିଲ୍ମର ସୁଟିଂ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ସୁଟିଂ ଶେଷ ହୋଇନାହିଁ । ତେବେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳୁଛି । ଏହି ଫିଲ୍ମ ତିନୋଟି ପାର୍ଟରେ ପ୍ରସ୍ତୁତ କରାଯିବ । ଯାହାର ପ୍ରଥମ ପାର୍ଟ ପାଇଁ ରଣବୀର ଏବଂ ଆଲିଆ ଭଟ୍ଟ ଚୁକ୍ତିବଦ୍ଧ ହୋଇଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ, ଏହାର ଦ୍ୱିତୀୟ ପାର୍ଟ ଲାଗି ବଲିଉଡର ମୋଷ୍ଟ ପପୁଲାର କପଲ ‘ଦୀପ୍ବୀର’ ଅର୍ଥାତ୍ ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କୁ ସାଇନ୍ କରାଯିବ । ଫିଲ୍ମର ମେକର୍ସ ‘ଦୀପ୍ବୀର’ଙ୍କ ସହ ଏଥିଲାଗି ଯୋଗାଯୋଗ କରିଥିବା ଜଣାପଡ଼ିଛି । ତେବେ ଦୁହେଁ ଉକ୍ତ ଫିଲ୍ମ ପାଇଁ ହଁ ଭରିଥିବା ଚର୍ଚ୍ଚା ହେଉଥିବା ବେଳେ ଏହାର କିନ୍ତୁ କୌଣସି ଆଧିକାରିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ । ଆସନ୍ତାବର୍ଷକୁ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ ‘୮୩’ରେ କପିଲ ଦେବ ଏବଂ ରୂମୀ ଦେବୀଙ୍କ ଭୂମିକା ରଣବୀର ଓ ଦୀପିକାଙ୍କୁ ଦେଖିବାକୁ ମିଳିବ । ସୂଚନା ଥାଉ ଯେ, ଏହାପୂର୍ବରୁ ରଣବୀର ଓ ଦୀପିକା ସଞ୍ଜୟ ଲିଲା ଭଂସାଲୀଙ୍କ ଫିଲ୍ମ ‘ରାମଲୀଳା’ ଏବଂ ‘ପଦ୍ମାବତ୍’ରେ ଏକତ୍ର ଅଭିନୟ କରିଥିଲେ । ଦର୍ଶକଙ୍କ ମହଳରେ ଏହି ଯୋଡ଼ିକୁ ଖୁବ୍ ପସନ୍ଦ ମଧ୍ୟ କରାଯାଇଥିଲା ।


