ବ୍ୟାଙ୍କ କର୍ମଚାରୀ ନିଖୋଜ
ହାଟଡ଼ିହି, (ବିକାଶ ବିଶ୍ୱାଳ ):ଆନନ୍ଦପୁର ଆକ୍ସିସ ବ୍ୟାଙ୍କର କର୍ମଚାରୀ ବ୍ୟାଙ୍କ ଋଣ ଆଦାୟ ପାଇଁ ଗତ ୧୬ ତାରିଖ ଦିନ କଣ୍ଟିପାଳ ଅଞ୍ଚଳକୁ ଯାଇଥିବା ବେଳେ ନିଖୋଜ ହୋଇ ଯାଇଛନ୍ତି। ଘଟଣାକୁ ୩ଦିନ ବିତିଯାଇଥିଲେ ବି ତାଙ୍କର କିଛି ସନ୍ଧାନ ମିଳୁ ନଥିବାରୁ ଆଜି ତାଙ୍କ ପରିବାର ଲୋକେ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିଦିନ ଅପରାହ୍ନ ସୁଦ୍ଧା ବ୍ୟାଙ୍କକୁ ନଫେରିବା ଓ ପରିବାର ଲୋକଙ୍କଠାରୁ କୌଣସି ସୂଚନା ନପାଇବା ପରେ କର୍ମଚାରୀଙ୍କ ନିଖୋଜକୁ ଆନନ୍ଦପୁର ଥାନାରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେହିଦିନ ଅଭିଯୋଗ ମଧ୍ୟ କରିଥିଲେ। ମିଳିଥିବା ସୂଚନାନୁଯାୟୀ, ହାଟଡିହି ବ୍ଲକ ବଡ଼ରମ୍ପାସ ପଞ୍ଚାୟତ ନୂଆରମ୍ପାସ ଗ୍ରାମର ଗୋଲକ ବିହାରୀ ଦାସଙ୍କ ପୁଅ ବିଜୟ କୁମାର ଦାସ (୩୧) ଆନନ୍ଦପୁର ଆକ୍ସିସ ବ୍ୟାଙ୍କର ସେଲସ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ୧୬ତାରିଖ ଦିନ ଋଣ ପରିଶୋଧ କରୁନଥିବା କେତେକ ରୁଣୀଙ୍କ ପାଖକୁ ଋଣ ଆଦାୟ ପାଇଁ କଣ୍ଟିପାଳ ଅଞ୍ଚଳକୁ ଯାଇଥିଲେ। ତେବେ ବ୍ୟାଙ୍କ ବନ୍ଦ ହେବା ସମୟ ପର୍ଯ୍ୟନ୍ତ ନଫେରିବାରୁ ବ୍ୟାଙ୍କ ପକ୍ଷରୁ ତାଙ୍କ ଘରକୁ ସୂଚନା ଦିଆଯାଇଥିଲା। ପରିବାର ଲୋକେ କଣ୍ଟିପାଳ ସମେତ ଆଖ ପାଖ ଅଞ୍ଚଳରେ ଖୋଜାଖୋଜି କରି କୌଣସି ପତ୍ତା ନପାଇବାରୁ ପୁଲିସରେ ସୂଚନା ଦେଇଥିଲେ। ତେବେ ବ୍ୟାଙ୍କ କର୍ମଚାରୀ ବିଜୟଙ୍କ ପତ୍ତା ମିଳୁନଥିବାରୁ ପରିବାର ଲୋକେ ହତାଶ ହୋଇପଡ଼ି ପୁଲିସର ସହାୟତା ପାଇଁ ନିବେଦନ କରିଛନ୍ତି।


