ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନୀତିକୁ ନେଇ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ(ୟୁଏଫବିୟୁ) ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଦେଶବ୍ୟାପୀ ପ୍ରତିବାଦ ।ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ବିଭିନ୍ନ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଏଥି ସହିତ କାର୍ଯ୍ୟ ଶେଷ ପରେ ସଂଧ୍ୟାରେ ‘ୟୁଏଫବିୟୁ’ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ଏହିଭଳି କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହ ୧୬ ଓ ୧୭ ତାରିଖରେ ଦୁଇଦିନିଆ ଧର୍ମଘଟ କରାଯିବ ବୋଲି ସଙ୍ଗଠନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଦେଶର ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଶିଳ୍ପକୁ ବଞ୍ଚାଇବା ସହ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଥିବା ସରକାରୀ ବ୍ୟାଙ୍କର ସ୍ଥିତିକୁ ବଜାୟ ରଖିବା ପାଇଁ ସଙ୍ଗଠନ ପକ୍ଷରୁ ହେଉଥିବା ଆନ୍ଦୋଳନକୁ ସମର୍ଥନ ନିମେନ୍ତ ସେମାନେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତ । ସରକାର ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ‘ୟୁଏଫବିୟୁ’ଆଗାମୀ ଦିନରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆବାହକ ପରମାନନ୍ଦ ଦେଙ୍କ ସମେତ ପ୍ରଦୀପ କୁମାର ବେହେରା, ଅଜୟ କୁମାର ମହାନ୍ତି ପ୍ରମୁଖ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।


