ଭଣ୍ଡାରଘରେ କଳକନା ବୁଲାଇବାକୁ ଜଗୁଆଳିର ଉଦ୍ୟମ
ବାଲେଶ୍ୱର, (ସରୋଜ ପଣ୍ଡା) : ଲାଭରେ ଚାଲିଥିବା ରାଷ୍ଟ୍ରାୟ ଉଦ୍ୟୋଗକୁ କେନ୍ଦ୍ର ସରକାରଙ୍କ ବିକ୍ରି କରିବା ନୀତି ବିରୋଧରେ ସିପିଏମ ପକ୍ଷରୁ ବାଲେଶ୍ୱରରେ ବୁଧବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ସହରର ଫାଣ୍ଡିଛକଠାରେ ଆୟୋଜିତ ପଥପ୍ରାନ୍ତ ପ୍ରତିବାଦ କାର୍ଯ୍ୟକ୍ରମରେ ସିପିଏମ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ନିର୍ମଳ ନାୟକଙ୍କ ସମେତ ସୀତାଂଶୁ ସେନାପତି, ପ୍ରେମ ରଞ୍ଜନ ପାତ୍ର, ଜ୍ୟୋତିର୍ମୟ ରାଉତ, ଶ୍ୟାମସୁନ୍ଦର ଜେନା, ରାଜ କିଶୋର ଲେଙ୍କା, ନିକୁଞ୍ଜ ବସନ୍ତ ରାଏ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ‘ଦେଶକୁ ବନ୍ଧକ ରଖି ଶାସନ କରିବା’ ନିଷ୍ପତ୍ତିକୁ ଦୃଢ଼ ସମାଲୋଚନା କରିଥିଲେ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସରକାରଙ୍କ ‘ନ୍ୟାସନାଲ ମନିଟାଇଜେସନ ପାଇପଲାଇନ’ ଯୋଜନାରେ ଦେଶର ୧୫ଟି ରେଳ ଷ୍ଟେସନ,୨୫ଟି ବିମାନ ବନ୍ଦର ଓ ୧୬୦ଟି କୋଇଲାଖଣି ଘରୋଇ ସଂସ୍ଥାଙ୍କୁ ଦିଆଯିବ । ଏହି ଅର୍ଥକୁ ନେଇ ସରକାର ଦେଶର ଅର୍ଥନୀତିକୁ ପରିଚାଳନା କରିବେ । ବଡ଼ ବଡ଼ ଘରୋଇ ସଂସ୍ଥାମାନେ ଏହାକୁ ବ୍ୟବସାୟ ଭିତ୍ତିରେ ବ୍ୟବହାର କରି କୋଟି କୋଟି ଟଙ୍କାର ମୁନାଫା ଉଠାଇବେ । ସରକାରୀ ଉଦ୍ୟୋଗ ଘରୋଇକରଣ ସହିତ ଜନଗଣଙ୍କ କଷ୍ଟ ଲବ୍ଧ ଅର୍ଥରେ ସୃଷ୍ଟି ହୋଇଥିବା ଜାତୀୟ ସମ୍ପତ୍ତି ବିକ୍ରି କରି ଦେଶ ଚଳାଇବା ନିଷ୍ପତ୍ତି ‘ଘରର ସୁନା, ରୁପା ଅଳଙ୍କାର ବିକ୍ରି କରି ତେଲ-ଲୁଣ କିଣିବା’ ସହିତ ସମାନ ବୋଲି ସିପିଏମ ନେତାମାନେ ଆରୋପ କରିଥିଲେ । ଅନ୍ୟପକ୍ଷରେ ଭଣ୍ଡାର ଘର ଜଗିବା ଦାୟିତ୍ୱରେ ଥିବା ଜଗୁଆଳି ନିଜେ କଳାକନା ବୁଲାଇବା ଭଳି କେନ୍ଦ୍ର ସରକାର ଏବେ ଦେଶକୁ ବିକ୍ରି କରିବା ପାଇଁ ଉଦ୍ୟମ ଆରମ୍ଭ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସିପିଏମ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ଆରୋପ କରିଛନ୍ତି । ସରକାର ଲାଭରେ ଚାଲିଥିବା ଜାତୀୟ ଉଦ୍ୟୋଗ ବା ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି ନୀତିରୁ ନ ଓହରିଲେ ଆଗାମୀ ଦିନରେ ସମଗ୍ର ଦେଶରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।


