ଭତା ଟଙ୍କା ପହଂଚାଇବା ପାଇଁ ଆଦାୟ ହେଉଛି ଚାନ୍ଦା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଂଚାୟତସ୍ଥିତ ଖଇରାହୁଲି ଗ୍ରାମରେ ବିଚିତ୍ର ନିୟମ ଦେଖିବାକୁ ମିଳିଛି । ଏଠାରେ ଭତା ଟଙ୍କା ପହଁଚାଇବା ପାଇଁ ହିତାଧିକାରୀଙ୍କୁ ଚାନ୍ଦା ଆଦାୟ ହେଉଥିବା ଅଭିଯୋଗ ହେଉଛି । ପ୍ରତ୍ୟେକ ମାସରେ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ, ବିଧବା , ଭିନ୍ନକ୍ଷମ ଓ କଳାକାର ଭତା ପ୍ରଦାନ କରଯାଇଛି । କିନ୍ତୁ ଦୁଃଖର ବିଷୟ ପଂଚାୟତ କାର୍ଯ୍ୟାଳୟଟି ଏହି ଗାଁ ଠାରୁ ଦୁରରେ ହୋଇଥିବାରୁ କିଛି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜର ଭତା ଟଙ୍କା ପାଇଁ ପଂଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଅକ୍ଷମ ହେଉଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ପଂଚାୟତର ଜୈନିକ ପିଅନ । ସୂଚନା ମୁତାବକ ଖଇରାହୁଲି ଗାଁଟି ଗଜରାକପୁର ପଂଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୪କିମି ଦୂର ଅବସ୍ଥିତ । ପଂଚାୟତ କାର୍ଯ୍ୟାଳୟଟି ଉକ୍ତ ଗାଁ ଠାରୁ ଦୁରରେ ହୋଇଥିବାରୁ କିଛି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ହିତାଧିକାରୀ ଭତା ଟଙ୍କା ଆଣିବା ପାଇଁ ଅକ୍ଷମ ହେଉଛନ୍ତି । ଯାହାଫଳରେ ପଂଚାୟତ ପିଅନର ସହାୟତା ନେଇଥାନ୍ତି । ଯାହାର ଫାଇଦା ନେଇ ସଂପୃକ୍ତ ପିଅନ ଉକ୍ତ ଗାଁର ଲୋକଙଙ୍କ ପାଖରେ ଭତା ପହଁଚାଇବା ପାଇଁ ଭତା ପାଉଥିବା ବ୍ୟକ୍ତିମାନଙ୍କ ଠାରୁ ପ୍ରତିମାସରେ ୫୦ ଟଙ୍କା ଲେଖାଏଁ ନେଉଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ତଳେ ଉକ୍ତ ଗ୍ରାମକୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସି ଏକକାଳିନ ତିନି ମାସର ଭତା ଟଙ୍କା ପ୍ରଦାନ କରିଥିଲେ । ଠିକ୍ ତାର ପରଦିନ ସଂପୃକ୍ତ ପଂଚାୟତ ପିଅନ ଉକ୍ତ ଗାଁରେ ପହଁଚି ଭତା ପ୍ରଦାନ ବାବଦକୁ ୧୦୦ଟଙ୍କା ଲେଖାଏଁ ଭତା ପାଇଥିବା ଲୋକଙ୍କୁ ମାଗିଥିଲେ । ଯେଉଁମାନେ ଦେଇ ନ ଥିଲେ ତାଙ୍କୁ ଚଳିତ ମାସର ଭତା ଖାତା ଆଣି ଫେରାଇ ଦେଇଥିବା ହିତାଧିକାରୀ ବଟକୃଷ୍ଣ ମଲ୍ଲିକ, କାଂଚନ ମଲ୍ଲିକ, ଶୁକଦେବ ସେଠୀ ପ୍ରମୁଖ ପ୍ରକାଶ କରିଛନ୍ତି । ଅନ୍ୟପଟରେ ଯେଉଁମାନେ ସଂପୃକ୍ତ ପିଅନକୁ ଚାନ୍ଦା ଦେଇଥିଲେ ସେମାନଙ୍କୁ ଚଳିତ ମାସର ଭତା ଟଙ୍କା ଆଣି ଗାଁରେ ପ୍ରଦାନ କରିଥିବା ଜଣାଯାଇଛି । ପଂଚାୟତର ପିଅନର ଏଭଳି କାର୍ଯ୍ୟକୁ ହିତାଧିକାରୀମାନେ ଦୃଢ ନିନ୍ଦା କରିବା ସହିତ ସଂପୃକ୍ତ ପିଅନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଗୁରୁ୍ତ୍ୱପୂର୍ଣ୍ଣ କଥା ହେଲା ଭତା ଟଙ୍କା ବଂଟନ ଦାୟିତ୍ୱ କେବଳ ସରକାରୀ କର୍ମଚାରୀଙ୍କର ରହିଛି । ଏଠାରେ ପ୍ରଶ୍ନ ଉଠୁଛି, କେଉଁ ଆଇନି ବଳରେ ସଂପୃକ୍ତ ପିଅନ ହିତାଧିକାରୀଙ୍କ ଭତା ଖାତା ନେଇ ଭତା ବଂଟନ କରୁଥିବା ଅଧିକାରୀଙ୍କ ଠାରୁ ଭତା ଟଙ୍କା ଉଠାଉଛନ୍ତି । ଭତା ବଂଟନ ଦାୟିତ୍ୱରେ ଥିବା ସଂପୃକ୍ତ ଅଧିକାରୀ କେଉଁ ଆଇନ ବଳରେ ହିତାଧିକାରୀଙ୍କ ଅନୁପସ୍ଥିତରେ ଭତା ଟଙ୍କା ପ୍ରଦାନ କରୁଛନ୍ତି । ଏବଂ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଭତା ଖାତାରେ କିଏ ଟିପ ଚିହ୍ନ ବା ଦସ୍ତଖତ କରୁଛି, ତାହା ତଦନ୍ତ ସାପେକ୍ଷ । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏ ସଂର୍ପକରେ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


