ଭୁଶୁଡ଼ିଲା ପାକିସ୍ତାନ ଅର୍ଥ ବ୍ୟବସ୍ଥା ୧୪୮ ଟପିଲା ଡଲାର
ନୂଆଦିଲ୍ଲୀ, (ଏଜେନ୍ସି): ଦେବାଳିଆ ହେବା ପଥରେ ଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଡଲାର ତୁଳନାରେ ପାକିସ୍ତାନ ଟଙ୍କା ୧୪୮ସ୍ତରକୁ ଛୁଇଁଛି । ଡନ୍ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ ଏଠାରେ ଖାଦ୍ୟ-ପାନୀୟ ସାମଗ୍ରୀ ସହିତ ହିଁ ପେଟ୍ରୋଲ୍-ଡିଜେଲ୍ର ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି । ଯଦ୍ୱାରା ଏଠାକାର ଲୋକେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ ବିଦ୍ୟୁତ୍ ଓ ରେସୋଇ ଗ୍ୟାସ୍ ମୂଲ୍ୟରେ ମଧ୍ୟ ବୃଦ୍ଧି କରାଯିବ । ଇମ୍ରାନ୍ଙ୍କ ସରକାର ଚଳିତ ମାସ ପ୍ରାରମ୍ଭରେ ତେଲ ମୂଲ୍ୟରେ ବି ବ୍ୟାପକ ବୃଦ୍ଧି କରିସାରିଛନ୍ତି । ଏଠାରେ ଡିଜେଲ୍ ମୂଲ୍ୟ ୧୧୯ପାକିସ୍ତାନୀ ଟଙ୍କା ରହିଛି । ଇତି ମଧ୍ୟରେ ଏଠାରେ ପେଟ୍ରୋଲ୍ ମୂଲ୍ୟ ୬ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇସାରିଛି । ନୂଆ ମୂଲ୍ୟ ଅନୁସାରେ ଏବେ ପାକିସ୍ତାନରେ ଏକ ଲିଟର ପେଟ୍ରୋଲ୍ ୯୮.୮୮ ପାକିସ୍ତାନୀ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ପାକିସ୍ତାନରେ ଆଗାମୀ ଦିନରେ ୧୦ ଲକ୍ଷ ଲୋକ ବେରୋଜଗାର ହେବାର ମଧ୍ୟ ସମ୍ଭାବନା ରହିଛି । ଏହାଦ୍ୱାରା ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟାରେ ୪୦ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ଘଟିବ । ପାକିସ୍ତାନରେ ବିଦେଶୀ ପୁଞ୍ଜି ଭଣ୍ଡାର ବର୍ତ୍ତମାନ ୮.୫ଅରବ ଡଲାରର ରହିଛି । ହେଲେ ଏହା ଦୁଇ ମାସର ଆମଦାନୀ ପାଇଁ ମଧ୍ୟ ଯଥେଷ୍ଟ ନୁହେଁ । ପାକିସ୍ତାନରେ ମାର୍ଚ୍ଚ ୨୦୧୯ ଆର୍ଥିକ ବର୍ଷରେ ମୁଦ୍ରାସ୍ଫିତି ହାର ୫ବର୍ଷର ଉଚ୍ଚତମ ସ୍ତର ୯.୪୧%ରେ ପହଞ୍ଚିଛି । ମୁଦ୍ରାସ୍ଫିତିର ଏହି ହାର ଏପ୍ରିଲ୍ ୨୦୧୪ ପରେ ସର୍ବାଧିକ । ସେହି ସମୟରେ ମୁଦ୍ରାସ୍ଫିତି ୯.୨% ଆକଳନ କରାଯାଇଥିଲା । ମାର୍ଚ୍ଚରେ ମୁଦ୍ରାସ୍ଫିତି ଏକ ମାସ ତୁଳନାରେ ୧.୪୨% ବୃଦ୍ଧି ପାଇଛି । ଏସିଆନ୍ ବିକାସ ପରିଦୃଶ୍ୟ ୨୦୧୯ ଅନୁସାରେ କୃଷି କ୍ଷେତ୍ରରେ ସୁଧାର ପରେ ବି ୨୦୧୮ରେ ପାକିସ୍ତାନର ଆର୍ଥିକ ବୃଦ୍ଧି ହାର ଧିମେଇ ଯାଇଛି । ପାକିସ୍ତାନର ବିସ୍ତାରବାଦୀ ରାଜସ୍ୱ ନୀତି ବଜେଟ୍ ଓ କରେଣ୍ଟ ଆକାଉଣ୍ଟ କ୍ଷତିକୁ ବ୍ୟାପକ ଭାବେ ବୃଦ୍ଧି କରିବା ସହ ବିଦେଶୀ ମୁଦ୍ରାକୁ ଅତ୍ୟନ୍ତ କ୍ଷତି ପହଞ୍ଚାଇବ ବୋଲି ଅନୁମାନ କରାଯାଇଛି ।


