ଭୋଟ ଦେବାକୁ କୁନ୍ଥ କୁନ୍ଥ ଗ୍ରାମବାସୀ
ହାଟଡିହି, (ବିକାଶ ବିଶ୍ୱାଳ) :-ନିର୍ବାଚନ ପରେ ନିର୍ବାଚନ ହେଉଛି ହେଲେ ଘୁଞ୍ଚୁନି ଆମ ଦୁଖଃ । ତେଣୁ ଆମେ କାହିଁକି ବା ଭୋଟ ଦେବୁ । ଭୋଟ ବେଳେ ନେତାଏ ଅ୍ରାମ ଗାଁକୁ ଆସି ମାଳ ମାଳ ପ୍ରତିଶୃତି ଦେଇ ଚାଲିଯାଉଛନ୍ତି କିନ୍ତୁ ତାପରେ ଆଉ ତାଙ୍କର ଦେଖା ନାହିଁ । ଆମ କଥାତ କେହି ବୁଝୁ ନାହାନ୍ତି ବୋଲି କହିଛନ୍ତି ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଦେହୁରୀ ସାହିର ଲୋକମାନେ । ଏହି ସାହିରେ ଶହେରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ସାହିର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି । ଗାଁରେ ଗୋଟିଏ ବି ପରିବାର ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇପାରିଲେ ନାହିଁ । ଘର ନପାଇବାରୁ ଭଙ୍ଗା କୁଡିଆରେ ଜୀବନ ଅତିବାହିତ କରୁଛନ୍ତି । କାହା ଘରେ କାନ ନଥିବାବେଳେ ଜରିପାଲ ଘେରା ଯାଇଛି ତ ଆଉ କାହାଘର ଉପରେ ପଲିଥିନି ଢ଼ଙ୍କା ଯାଇଛି । ବର୍ଷା ଟିକିଏ ହେଲେ ଏମାନେ ବାରଘର ହୋଇ ନାହିଁ ନଥିବା ଅସୁବିଧାରେ କାଳକାଟୁଛନ୍ତି । ପଞ୍ଚାୟତର ଅନ୍ୟ ସବୁ ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବାବେଳେ ଏହି ସାହିକୁ ଭଲରାସ୍ତା ଖଣ୍ଡିଏ ମଧ୍ୟ ହୋଇପାରିନି । ଅଧିକାଶଂ ଘରକୁ ବିଜୁଳି ମଧ୍ୟ ନାହିଁ । ଅନେକ ବୁଢ଼ା ବୁଢ଼ି ଭତ୍ତା ପାଇଁ ଆବେଦନ କରିଥିବାବେଳେ ସେମାନଙ୍କୁ ଭତ୍ତା ଦିଆଯାଉନି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କୁ ନିୟମିତ ରାସନ ସାମଗ୍ରୀ ମଧ୍ୟ ଦିଆଯାଉ ନାହିଁ । ଗାଁ ଠାରୁ ପଞ୍ଚାୟତ କାର୍ଯ୍ୟାଳୟର ଦୁରତା ୪/୫କିଲୋମିଟର ହେଉଥିବାବେଳେ ଏମାନେ କାମଦାମ ବନ୍ଦ କରି ଯାଇ ରେସନ ସାମଗ୍ରୀ ଆଣିବା ସମ୍ଭବ ହେଉ ନଥିବା କହିଛନ୍ତି । ପ୍ରତିଥର ଭୋଟ ପ୍ରଚାରବେଳେ ପ୍ରାର୍ଥୀମାନେ ଆସି ନାନା ପ୍ରକାର ଆଶ୍ୱାସନା ଦେଉଥିବାବେଳେ ନିର୍ବାଚନ ପରେ ସବୁ ଭୁଲି ଯାଆନ୍ତି । ଆମେ ତାଙ୍କ ପାଖକୁ ଯାଇ ଯାଇ ଥକି ଗଲୁଣି । ଆମେ ଆଜି ପର୍ଯ୍ୟନ୍ତ ଭୋଟ ଦେବୁ ନାହିଁ ଠିକ କରିନୁ, ଯଦି ଆମ କଥ ଯିଏ ବୁଝିବାକୁ କହିବ ଆମେ ତାଙ୍କୁ ଭୋଟ ଦେବୁ ବୋଲି ସାହିର ପୁଟୁକି ନାହାକ, ମାନସୀ ନାହାକ, ସାବିତ୍ରୀ କଅଁର, ଏକନ ନାହାକ, ମାଗୁଣି ପଲେଇ, ରଞ୍ଜନ ନାହାକ, ବାସୁଆ ନାହାକ, ମୋହନ ନାହାକ, ବାବାଜି ନାହାକ ପ୍ରମୁଖ ଗ୍ରାମବାସୀମାନେ କହିଛନ୍ତି ।


