ଭ୍ୟାକ୍ସିନ୍ ହିଁ ସ୍ଥିତିକୁ ସ୍ବାଭାବିକ କରିପାରିବ: ଜାତିସଂଘ ମହାସଚିବ
ଜେନେଭା: ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ବରେ କୋରୋନା ଭୂତାଣୁ ବ୍ୟାପିଯାଇଥିବାରୁ ସ୍ବାଭାବିକ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ବିଶ୍ବର ଅର୍ଥନୀତି ଉପରେ ପ୍ରଭାବ ବେଶ୍ ସୁଦୂରପ୍ରସାରୀ ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ବିଶ୍ବରେ କେବେ ସ୍ବାଭାବିକ ପରିସ୍ଥିତି ଫେରିବ, ସେନେଇ ସମସ୍ତେ ସନ୍ଦେହରେ ଅଛନ୍ତି। ତେବେ ବିଶ୍ବରେ ସ୍ବାଭାବିକ ସ୍ଥିତି କେବଳ କୋରୋନା ଭୂତାଣୁକୁ ମାରିବାର ଦକ୍ଷତା ରଖୁଥିବା ଏକ ଭ୍ୟାକ୍ସିନ୍ ହିଁ ଫେରାଇ ଆଣିପାରିବ ବୋଲି ମତ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍। ଏଥିସହ ବର୍ତ୍ତମାନ ବିଶ୍ବରେ ବୈଜ୍ଞାନିକ ଓ ଗବେଷକମାନେ କେବଳ ଏହି ଭୂତାଣୁର ନିରାକରଣ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତି ଉପରେ ଫୋକସ୍ କରୁଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ସେମାନେ ଏହି ଉଦ୍ୟମରେ ସଫଳ ହେବେ ଓ ବିଶ୍ବର କୋଟି କୋଟି ଲୋକ ମୃତ୍ୟୁମୁଖରୁ ଓ ବିଶ୍ବ ଅର୍ଥନୀତିକୁ ଟ୍ରିଲିଅନ୍ ଟ୍ରିଲିଅନ୍ ଡଲାର୍ର କ୍ଷତିରୁ ବଞ୍ଚାଇପାରିବେ ବୋଲି ଗୁଟେରସ୍ ଆଶା ପ୍ରକାଶ କରିଛନ୍ତି।
ଗୁଟେରସ୍ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିଶ୍ବର ୨ ଶହରୁ ଊର୍ଦ୍ଧ୍ବ ଦେଶକୁ କୋରୋନା ଭୂତାଣୁ କବଳିତ କରି ରଖିଥିବାରୁ ଏହାର ନିରାକରଣ ପାଇଁ ଭ୍ୟାକସିନ୍ ବାହାରିବା ନିହାତି ଜରୁରୀ। ଏହି ଭ୍ୟାକ୍ସିନ୍ ପ୍ରସ୍ତୁତି ପାଇଁ ଉଦ୍ୟମ କରୁଥିବା ବୈଜ୍ଞାନିକମାନେ ଏହାର ପ୍ରଭାବ ସମଗ୍ର ବିଶ୍ବ ଉପରେ ପଡ଼ିବ ବୋଲି ମନେ ରଖିବା ଉଚିତ। ତେଣୁ ସେମାନେ ଏ କ୍ଷେତ୍ରରେ ସେମାନଙ୍କ ଉଦ୍ୟମକୁ ଅଧିକ ତ୍ବରାନ୍ବିତ କରିବା ଉଚିତ। ଏହାଦ୍ବାରା ବିଶ୍ବ ମହାମାରୀରେ ପରିଣତ ହୋଇଥିବା କୋରୋନା ଦାଉରୁ ବିନାଶରୁ ରକ୍ଷା କରାଯାଇପାରିବ। ଏହି ବୈଜ୍ଞାନିକମାନଙ୍କୁ ଗବେଷଣା କ୍ଷେତ୍ରରେ ସେମାନଙ୍କ ଦେଶ ଭରପୂର ସହଯୋଗ ମଧ୍ୟ ଯୋଗାଇ ଦେବା ଆବଶ୍ୟକ। ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇଗଲେ, ଏହାକୁ ତୁରନ୍ତ ସମଗ୍ର ବିଶ୍ବ ସ୍ତରରେ ଉପଲବ୍ଧ କରାଯିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି ଗୁଟେରସ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ସମଗ୍ର ବିଶ୍ବରେ ଗୁରୁବାର ପୂର୍ବାହ୍ନ ସୁଦ୍ଧା କୋରୋନା ଭୂତାଣୁ ୧ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇସାରିଛନ୍ତି। ଅମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏଠାରେ ୬ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ସ୍ପେନରେ ଦ୍ବିତୀୟ ସର୍ବାଧିକ ୧ ଲକ୍ଷ ୭୭ ହଜାର ୬୩୩ ଜଣ ଆକ୍ରାନ୍ତ ରହିଥିବା ଜନ୍ସ ହପକିନ୍ସ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି।


