ମୋଦିଙ୍କ ଗାମୁଛା ବ୍ୟବହାରକୁ ପ୍ରଶଂସା କଲେ ନୀତା ଲୁଲ୍ଲା
ତିନି ଥର ଜାତୀୟ ପୁରସ୍କାର ଜିତିଥିବା ଫ୍ୟାଶନ ଡିଜାଇନର ନୀତା ଲୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁରେ ଗାମୁଛା ବାନ୍ଧିବାକୁ ନେଇ ପ୍ରଶଂସା କରିଛନ୍ତି। ଏକ ଭିଡିଓ ଜାରି କରି ନୀତା କହିଛନ୍ତି ଯେ ମୋଦିଜୀ ଗାମୁଛା ବାନ୍ଧି ଭାରତୀୟ ସଂସ୍କୃତିକୁ ପୂରା ବିଶ୍ବ ସାମ୍ନାରେ ଆଣିଛନ୍ତି। ନୀତା କହିଛନ୍ତି ଯେ ୧୪ ଏପ୍ରିଲରେ ମୋଦି ଦେଶକୁ ସମ୍ବୋଧନ କରିବା ବେଳେ ମୁହଁରେ ଗାମୁଛା ବାନ୍ଧି ଆସି ଗାମୁଛାକୁ ଏକ ନୂଆ ମହତ୍ତ୍ବ ଦେଇଛନ୍ତି। ଗାମୁଛା ବାନ୍ଧିବାର କାରଣ ଥିଲା, ସେ ଦେଶବାସୀଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେବାକୁ ଚାହୁଥିଲେ। ମାସ୍କ ନ ମିଳିଲେ ଘରେ ଯାହା କପଡ଼ା ଜିନିଷ ରହିଛି ଏହାକୁ ମୁହଁରେ ବାନ୍ଧି ମାସ୍କ ଭଳି ବ୍ୟବହାର କରିପାରିବେ। ଯାହାକୁ ପିନ୍ଧି ଆପଣଙ୍କୁ କୌଣସି କଷ୍ଟ ହେବ ନାହିଁ ଓ ଆପଣ ଭାଇରସ କବଳରୁ ରକ୍ଷା ପାରିପାରିବେ। ଏଥି ସହିତ ସାମାଜିକ ଦୂରତ୍ବ ମଧ୍ୟ ରକ୍ଷା କରାଯାଇ ପାରିବ ବୋଲି ନୀତା କହିଛନ୍ତି। ନୀତା ଆହୁରି କହିଛନ୍ତି ଯେ ଆମ ପୋଷାକର ଅନ୍ତର୍ଗତ ଗାମୁଛା ହେଉଛି ପୁରାତନ ସଭ୍ୟତାର ଅଂଶବିଶେଷ। ଅନେକ ଲୋକ ଏହାକୁ ପିନ୍ଧିବାକୁ ପସନ୍ଦ କରନ୍ତି। ନୀତାଙ୍କ କହିବାନୁସାରେ, ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ଗାମୁଛା ପିନ୍ଧିବାର ପ୍ରଥା ରହିଛି। ଅର୍ଗାନିକ କଟନ କିମ୍ବା ଖଦୀ କପଡ଼ାରେ ଏହି ଗାମୁଛା ତିଆରି ହୋଇଥାଏ। ଏହା ଝାଳ ଭଲଭାବେ ଶୋଷିଥାଏ। ଗାମୁଛା ପିନ୍ଧିବା ମଧ୍ୟ ଆରାମଦାୟକ ହୋଇଥାଏ। ପ୍ରଧାନମନ୍ତ୍ରୀ ମୋଦି ଗାମୁଛାକୁ ମାସ୍କ ଭଳି ବ୍ୟବହାର କରି ପୁଣିଥରେ ପ୍ରମାଣ କରିଦେଇଛନ୍ତି ଯେ ଭାରତୀୟ ସଂସ୍କୃତି ଓ ପୋଷାକ ପରମ୍ପରାରୁ ବହୁତ କିଛି ଶିଖିବାର ଅଛି। ଏହାକୁ ଅନୁସରଣ କରି ମଧ୍ୟ ଆମେ କୋରୋନା ଭାଇରସ ସହିତ ଲଢ଼ି ପାରିବା ବୋଲି ନୀତା କହିଛନ୍ତି।


