ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା : ଏଏସଆଇ ଙ୍କୁ ନିଲମ୍ବିତ କଲେ ଏସପି
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଅଞ୍ଚଳ ରେ ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ନିଜ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏଏସଆଇ ନିଲମ୍ଵିତ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କଲେ ଏସ୍ପି ରିଷୀକେଶ ଦ୍ୟାନଦେଓ ଖିଲାରୀ । ଖବର ଅନୁଯାୟୀ, ଗତ ଶନିବାର ଦିନ ମହୁଲଡିହା ଗାଁର କିଛି ବ୍ୟକ୍ତି ଙ୍କୁ ବିଶ୍ଵନାଥ ବେହେରା ନାମକ ଜୈନେକ ନକଲି ଡାକ୍ତର ଅଣ୍ଟା ଦେହହାତ ବ୍ୟଥା ପାଇଁ ପଶୁ ଇଞ୍ଜେକ୍ସନ ଦେଇଥିଲେ।ସମ୍ପୃକ୍ତ ଠକ ଜଣକ ଡାକ୍ତରୀ କିମ୍ବା ଫାର୍ମାସୀ ପାଠ ପଢି ନାହାନ୍ତି, କେବଳ ପ୍ରାକ୍ଟିସ ଅଛି ବୋଲି ଦାବି କରୁଥିବା ଜଣାପଡିଛି । ସୂଚନା ଅନୁସାରେ ମହୁଲଡିହା ଗାଁର ଶ୍ରୀକାନ୍ତ ମହାନ୍ତଙ୍କର କିଛି ଦିନରୁ ଅଣ୍ଟା ବିନ୍ଧୁଥିଲା, ଏହି ସମୟରେ ଗାଁରେ ନକଲି ଡାକ୍ତର ବିଶ୍ୱନାଥ ପହଞ୍ଚି ନିଜକୁ ଠାକୁରମୁଣ୍ଡାର ଡାକ୍ତରଖାନାର ଡାକ୍ତର ବୋଲି ପରିଚୟ ଦେଇଥିଲେ । ଏହା ଶୁଣି ଶ୍ରୀକାନ୍ତଙ୍କ ପତ୍ନୀ ସେହି ଠକ ଡାକ୍ତରଙ୍କୁ ଘରକୁ ଡାକି ନେଇଥିଲେ । ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରି ୩ଟି ଇଂଜେକସନ ଦେଇଥିଲେ ବିଶ୍ୱନାଥ । ଏହି ସମୟରେ ସେଠାରେ ପୁଅ ପହଞ୍ଚି ଦେଖିଥିଲେ କି ତାଙ୍କ ବାପାଙ୍କୁ ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଇଞ୍ଜେକସନ ଦିଆଯାଇଛି । ଇଞ୍ଜେକସନ ଖୋଳରେ ମେଲୋକ୍ସିକାମ ଓ ଏହା କେବଳ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଲେଖା ରହିଛି । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ଖେଳି ଯାଇଥିଲା । ଏହାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ପଶୁ ଡାକ୍ତରଙ୍କୁ ମହୁଲଡିହା ଥାନା ଜିମା ଦେଇଥିଲେ। ସେହି ସମୟରେ ଥାନାରେ ଉପସ୍ଥିତ କାର୍ଯ୍ୟରତ ଥିବା ଏଏସଆଇ ପବିତ୍ର ମୋହନ ରାଉତ ଏକ ଅଣ୍ଡରଟେକିଂ ବା ରାଜିନାମା ଲେଖାଇ ନକଲି ଠକ ଡାକ୍ତରକୁ ଛାଡି ଦେଇଥିଲେ। ଏହି ଘଟଣାରେ ଏବେ ମୟୂରଭଞ୍ଜ ଏସ୍ପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏନେଇ କରଞ୍ଜିଆ ଏସଡିପିଓ ସୂଚନା ଦେଇଛନ୍ତି।
ପଶୁ ଇଂଜେକସନ ନେଇଥିବା ଶ୍ରୀକାନ୍ତ ମହାନ୍ତଙ୍କ ଲିଖିତ ଅଭିଯୋଗ ପରେ ହତ୍ୟା ଉଦ୍ୟମ, ଭୁଲ ଇଞ୍ଜେକସନ୍ ଦେଇ ଠକିବା ଓ କାର୍ଯ୍ୟରେ ଅବହେଳା ପରି ସଙ୍ଗୀନ୍ ଦଫାରେ ମାମଲା ରୁଜୁ ହୋଇଥିଲା। ଏହାପରେ ଏ.ଏସ.ଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରିଛନ୍ତି ମୟୁରଭଞ୍ଜ ଏସ୍ପି ।


