ମନରେଗା ଯୋଜନାରେ କାମ ନ କରି ୫ ଲକ୍ଷ ଟଙ୍କା ହରିଲୁଟ
କୋଦଳା,(ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ବୁରୁଝୁରୀ ପଞ୍ଚାୟତର ପିଡବ୍ଲୁଡି ମୁଖ୍ୟ ରାସ୍ତା ଠାରୁ ଖଜାପଲ୍ଲୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ସକାଶେ ମନରେଗା ଯୋଜନାରେ ୫ ଲକ୍ଷ ଟଙ୍କା ବ୍ଯୟ ବରାଦ କରାଯାଇଥିଲା। କାର୍ଯ୍ଯ ନିର୍ବାହୀ ସଂସ୍ଥା ବେଗୁନିଆପଡ଼ା ବ୍ଳକ ଏବଂ ଶ୍ରମିକମାନଙ୍କୁ ନେଇ ଏହି ମାଟି କାମ କରାଯାଉଛି ବୋଲି ସୂଚନା ଫଳକରେ ଉଲ୍ଲେଖ ରହିଥିଲା। ତେବେ ଏଠାରେ କୌଣସି କାର୍ଯ୍ଯ କରା ନ ଯାଇ ସଂପୂର୍ଣ୍ଣ ଅର୍ଥ ହଡ଼ପ କରାଯାଇଥିବାର ପୂର୍ବତନ ସରପଞ୍ଚ ସତ୍ଯ ନାୟକ ଓ ପୂର୍ବତନ ସମିତି ସଭ୍ଯା ପ୍ରଭାସିନି ଯେନା ଅଭିଯୋଗ କରିବା ପରେ ଉକ୍ତ ରାସ୍ତାରେ କିଛି କିଛି ମୋରମ ପକାଇ ଦୁର୍ନୀତି ଘୋଡାଇବାକୁ ଉଦ୍ଯମ କରାଯାଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବର୍ତ୍ତମାନ ରାଜ୍ୟ ସରକାର ଫାଇବ୍ ଟି ଓ ମୋ ସରକାର ବ୍ଯବସ୍ଥା ପ୍ରଚଳନ କରିବା ସହ ଦୁର୍ନୀତି ଅଭିଯୋଗ ଗୁଡିକର ତୁରନ୍ତ କାର୍ଯ୍ଯାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ସରକାରୀ ଅଧିକାରୀ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏନେଇ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଭିଜିଲାନ୍ସ ଏସ୍ ପି ଙ୍କୁ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ କରିବା ବଦଳରେ ଓଲଟା ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହୋଇଛି। ଏପରିକି ବେଗୁନିଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଅଭିଯୋଗ ପତ୍ରଟି ଲିକ୍ ହୋଇ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି ।ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଯୋଗକାରୀ। ତେବେ ଏହି ଘଟଣା ତୁରନ୍ତ ତଦନ୍ତ କରାଯାଇ ଆଇନ୍ ଗତ କାର୍ଯ୍ଯାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନରେ ଲୋକାୟୁକ୍ତକଂ ନିକଟରେ ପିଟିସନ ଦାୟର କରାଯିବ ଏବଂ ଆବଶ୍ୟକ ସ୍ଥଳେ ହାଇକୋର୍ଟର ଆଶ୍ରୟ ନିଆଯିବ ବୋଲି ଅଭିଯୋଗକାରୀ କହିଛନ୍ତି।


