ମନ୍ତ୍ରୀ ହେଲେବି ନିର୍ବାଚନ ମଣ୍ଡଳୀରେ ମୁଁ ବିଧାୟକ – ଶ୍ରୀକାନ୍ତ ସାହୁ
ବୁଗୁଡ଼ା, (ଅନିଲ କୁମାର ମହାରଣା) :- “ଓଡ଼ିଶା ସରକାରଙ୍କ ଶ୍ରମ, ନିଯୁକ୍ତି ଓ କର୍ମଚାରୀ ବୀମା ମନ୍ତ୍ରୀ ହେଲେବି ଆମ ପୋଲସରା ନିର୍ବାଚନ ମଣ୍ଡଳୀରେ ମୁଁ ହେଉଛି ବିଧାୟକ । ବିଧାୟକ ଥିବା ସମୟରେ ଆପଣମାନଙ୍କ ସହ ଯେପରି ସମ୍ପର୍କ ରଖିଥିଲି ମନ୍ତ୍ରୀ ହେଲେବି ସେହି ଜନସମ୍ପର୍କ ଜାରି ରହିବ”, ଏହା କହିଛନ୍ତି ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ନିଜ ଅଞ୍ଚଳ ରେ ଶ୍ରୀକାନ୍ତ ସାହୁଙ୍କୁ ଜନସାଧାରଣ ଶ୍ରଦ୍ଧାରେ ଡାକନ୍ତି ବାବୁଲା ଭାଇ । ତୃଣମୂଳ ସ୍ତରରୁ ପାହାଚ ପରେ ପାହାଚ ଅତିକ୍ରମ କରି ବାବୁଲା ଭାଇ ଆଜି ହୋଇଛନ୍ତି ମନ୍ତ୍ରୀ। ବିଧାୟକ ଥିବା ସମୟରେ ଲୋକଙ୍କ ସହ ଯେପରି ବ୍ୟବହାର କରୁଥିଲେ ମନ୍ତ୍ରୀ ପରେବି ତାହାର ପରିବର୍ତ୍ତନ ନାହିଁ । ମନ୍ତ୍ରୀ ହେବାପରେ ଶ୍ରୀକାନ୍ତ ସାହୁଙ୍କୁ ବୁଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ମାଣିତରା ଗ୍ରାମରେ ଏକ ବିରାଟ ସମ୍ବର୍ଦ୍ଧନା ପଟୁଆରରେ ପାଛୋଟି ନେବା ବେଳେ ବିଧାୟକ ସମୟର ଏକ କାର୍ଯ୍ୟ ପାଶୋରି ନଥିଲେ ମନ୍ତ୍ରୀ। ସମ୍ବର୍ଦ୍ଧନା ପଟୁଆର ମଧ୍ୟରୁ ବାହାରି ଜଣେ ବରିଷ୍ଠ ବ୍ୟକ୍ତିଙ୍କ ନିକଟକୁ ଯାଇଥିଲେ ମନ୍ତ୍ରୀ। ସମ୍ମାନ ଜଣାଇବା ସହ ସ୍ୱାସ୍ଥ୍ୟ ବିଷୟ ବୁଝିଥିଲେ ମନ୍ତ୍ରୀ ଶ୍ରୀ ସାହୁ। ମନ୍ତ୍ରୀ ହେଲେ ବୋଲି ମନରେ ନାହିଁ ଗର୍ବ କିମ୍ବା ଅହଙ୍କାର। ସେହିପରି ସେ ବିଧାୟକ ସମୟରେ ଯେଉଁ କଥା କହିଥିଲେ ତାହା ମଧ୍ୟ ସେ ପାଳନ କରିବାର ଦେଖିବାକୁ ମିଳିଛି । ବିଧାୟକ ଥିବା ସମୟରୁ ପୋଲସରା ନିର୍ବାଚନ ମଣ୍ଡଳୀ ତାଙ୍କ ପରିବାର ଭାବେ ଗ୍ରହଣ କରିଥିଲେ। ବୁଗୁଡା ବ୍ଲକ ଅନ୍ତର୍ଗତ ସୀତାରାମପଲ୍ଲୀ ଗ୍ରାମର ବୀର ସାହୁଙ୍କ ଚେନାଇରେ ଅକାଳ ମୃତ୍ୟୁ ଘଟିଥିଲା । ଖବର ଶୁଣିବା ପରେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅନ୍ୟ ଏକ ମହତ କାର୍ଯ୍ୟ ହେଲା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ଗ୍ରାମ ହାତୀଓଟରେ ଦୀର୍ଘ ବର୍ଷ ପୂର୍ବେ ଏକ ଜରାଶ୍ରମ ସ୍ଥାପନ କରିଥିଲେ । ସେହି ଆଶ୍ରମରେ ବର୍ତ୍ତମାନ ପ୍ରାୟ ୪୦ ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧା ଏବଂ ନିରାଶ୍ରୟ ବ୍ୟକ୍ତି ରହି ଶାନ୍ତିରେ ଜୀବନ କାଟୁଛନ୍ତି । “ମାନବ ସେବାହିଁ ମାଧବ ସେବା” ମନୋବୃତ୍ତି ଯୋଗୁଁ ଶ୍ରୀକାନ୍ତ ସାହୁଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଭାବେ ଗ୍ରହଣ କରିଥିବା ବୁଦ୍ଧିଜୀବୀ ବୃନ୍ଦ ପ୍ରକାଶ କରିଛନ୍ତି ।


