ମନ୍ଦିରରେ ଦିନକୁ ତିଆରି ହୁଏ ୨ ଲକ୍ଷ ରୁଟି
ଭାରତରେ ବିଭିନ୍ନ ମନ୍ଦିରରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ପଞ୍ଜାବର ଅମୃତସରଠାରେ ଥିବା ହରମନ୍ଦିର ସାହିବ ଗୁରୁଦ୍ୱାରକୁ ଲୋକ ସ୍ୱର୍ଣ୍ଣମନ୍ଦିର ବୋଲି କହିଥାନ୍ତି । ଅମୃତ ସରୋବର ମଝିରେ ହିଁ ଏହି ମନ୍ଦିରକୁ ନିର୍ମାଣ କରାଯାଇଛି । ଏହି ଗୁରୁଦ୍ୱାର ନିଜର ସୁନ୍ଦରତା ଏବଂ ଧାର୍ମିକ ଏକତା ପାଇଁ ସାରା ଦୁନିଆରେ ପ୍ରସିଦ୍ଧ । ଏହି ମନ୍ଦିରକୁ ସମସ୍ତ ଧର୍ମର ଲୋକେ ବିନା କୌଣସି ଭେଦଭାବରେ ଆସିଥାନ୍ତି । ସ୍ୱର୍ଣ୍ଣ ମନ୍ଦିର ନିର୍ମାଣ କରିବା ପାଇଁ ମୋଗଲ ଶାସକ ଆକବର ଜମି ଦାନ କରିଥିଲେ । ମହାରାଜା ରିତ ସିଂହ ମନ୍ଦିର ନିର୍ମାଣର ପ୍ରାୟ ୨ ଶହ ବର୍ଷ ପରେ ମନ୍ଦିର ଦ୍ୱାରରେ ସୁନା ଚଦର ଚଢ଼ାଇଥିଲେ । ଶ୍ରଦ୍ଧାଳୁ ମନ୍ଦିରରେ ୪ ଦିଗରୁ ପ୍ରବେଶ କରିପାରିବା ଭଳି ସୁବିଧା ରହିଛି । ଏହି ମନ୍ଦିରରେ ରହିଛି ଏକ ନିଆରା ପରମ୍ପରା । ମନ୍ଦିରରେ ୨୪ ଘଣ୍ଟା ଲଙ୍ଗର ବ୍ୟବସ୍ଥା ରହିଛି । ଏଠାରେ ଦିନକୁ ପ୍ରାୟ ୨ ଲକ୍ଷରୁ ଅଧିକ ରୁଟି ତିଆରି କରାଯାଇଥାଏ । ପ୍ରତିଦିନ ଏଠାରେ ୭୦ ହଜାରରୁ ଅଧିକ ଲୋକ ଭୋଜନ କରିଥାନ୍ତି । ମୋଗଲ ବାଦଶାହ ଆକବର ମଧ୍ୟ ଏହି ଗୁରୁଦ୍ୱାରରେ ଲଙ୍ଗରରେ ବସି ପ୍ରସାଦ ଖାଇଥିଲେ ବୋଲି ଲୋକେ କୁହନ୍ତି । ମନ୍ଦିରକୁ ୩୫ ପ୍ରତିଶତ ଶିଖ୍ ଧର୍ମର ଶ୍ରଦ୍ଧାଳୁ ଆସୁଥିବାବେଳେ ୬୫ ପ୍ରତିଶତରୁ ଅଧିକ ଅନ୍ୟ ଧର୍ମର ଶ୍ରଦ୍ଧାଳୁ ଆସିଥାନ୍ତି ।


