ମଲିପସି ସ୍କୁଲରେ ହେଉନି ଶିକ୍ଷାଦାନ, ମନଇଛା ଯାଉଛନ୍ତି ଶିକ୍ଷକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ମଲିପସି ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାଦାନ ହେଉ ନଥିବାରୁ ଅଭିଭାବକ ମଦ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏନେଇ ଅଭିଭାବକ ମାନେ ହାଟଡିହି ବ୍ଲକର ଏବିଇଓଙ୍କୁ ଭେଟି ଅଧିକ ଶିକ୍ଷ ନିଯୁକ୍ତି ସହିତ ଉପଯୁକ୍ତ ଶିକ୍ଷାଦାନ କିପରି ହେବ ସେନେଇ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ମଲିପସି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ଟି ଶ୍ରେଣୀ ଥିବାବେଳେ ୮୮ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । କିନ୍ତୁ ୮ଟି ଶ୍ରେଣୀ ପାଇଁ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି । ଶିକ୍ଷକ ମାନେ ପାଳିକରି ସ୍କୁଲ ଯାଊଉଥିବାବେଳେ କିଏ ଦିନ ୧୧ଟା ତ ଆଉ କିଏ ଦିନ ୧୨ଟାରେ ସ୍କୁଲରେ ପହଞ୍ଚନ୍ତି । ପୁଣି ଦିନ ଦୁଇଟା ବେଳେ ଛୁଟିକରି ପଳାଇ ଆସନ୍ତି । ଏପରି ହେବାଦ୍ୱାରା ସ୍କୁଲରେ ଠିକ ଭାବେ ପାଠପଢ଼ା ହୋଇ ପାରୁନି । ଅଷ୍ଟମ ଶ୍ରେଣୀ ପିଲାମାନେ ବି ପଣିକିଆ କିମ୍ବା ଅ,ଆ ଲେଖି ପାରୁ ନାହାନ୍ତି । ଏପରି ସ୍ଥଳେ ଛାତ୍ରଛାତ୍ରୀଙ୍କ ଜୀବନ ବେକାର ହେଉଛି । ସରକାର ସମସ୍ତଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ଲାଗୁ କରିଥିବାବେଳେ ତାହା ଏଠାରେ କାର୍ଯ୍ୟକାରୀ ହୋଇପାରୁନି । ଏହି ବିଦ୍ୟାଳୟଟି ବ୍ଲକ କାର୍ଯ୍ୟାଳୟ ଠାରୁ ୮୦କିଲୋମିଟର ଦୁରତାରେ ଥିବାରୁ ଓ ଏଠାକୁ ଗମନାଗମନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏହି ସ୍କୁଲକୁ କୌଣସି ଅଧିକାରୀଙ୍କ ପାଦ ପଡେନି । ଯାହାଫଳରେ ଏଠାରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି ବୋଲି ଗ୍ରାମର କାହ୍ନା କସିମାଳ, ସଙ୍କିର୍ତ୍ତନ ଶଙ୍ଖୁଆଳ, କାନ୍ଦି କଳପାଳିଆ, ନାରଣ ଶଙ୍ଖୁଆଳ, ଜୟନ୍ତ ନାଇକ, ଅମୁଲ୍ୟ କୁଆମାଟିଆ, ଗଣେଶ ବିନିସିଆ, ରାଜକିଶୋର ଶଙ୍ଖୁଆଳ, ସହଦେବ ଶଙ୍ଖୁଆଳ, ରାମଚନ୍ଦ୍ର ଖଣ୍ଡେଇ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ କେ ବାଲିପାଳ ପଞ୍ଚାୟତରୁ ତିନିଜଣ ଶିକ୍ଷକ ଅଛନ୍ତି । ଚଳିତବର୍ଷ ଆଉ ଜଣେ ଦୁଇଜଣ ଶିକ୍ଷକ ଦେବାର ବ୍ୟବସ୍ଥା କରୁଛୁ । କିନ୍ତୁ ସେଠାକୁ ଗମନା ଗମନର କୌଣସି ସୁବିଧା ନଥିବାରୁ ଶିକ୍ଷକ ମାନଙ୍କ ଯାତାୟତରେ ଅସୁବିଧା ହେୁଛି ବୋଲି ସେ କହିଛନ୍ତି ।


