ମଲ୍ ଖୋଲିବାକୁ ନାହିଁ ଅନୁମତି
ଭୁବନେଶ୍ୱର:ପ୍ରାୟ ୪୦ ଦିନର ଲକଡାଉନରେ ଥିବା ରାଜଧାନୀ ପୁଣି ଚଳଚଞ୍ଚଳ ହେବ । ବିଏମସି ଭୁବନେଶ୍ୱରରେ ପ୍ରାୟ ସବୁ ଦୋକାନ, କାର୍ଯ୍ୟାଳୟ ଖୋଲିବା ସହ ନିର୍ମାଣ କାମକୁ ଅନୁମତି ଦେଇଛି । ୨୮ ତାରିଖ ସନ୍ଧ୍ୟାରେ ବିଏମସି ବିଭିନ୍ନ ଦୋକାନ, କାର୍ଯ୍ୟାଳୟ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରିବା ପରେ ଏଥିରେ କିଛି ଦୋକାନ ଖୋଲିବା ନେଇ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ ନଥିଲା । ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ହେବାରୁ ବିଏମସି ପକ୍ଷରୁ ପୁଣି କେଉଁ ଦୋକାନ ଖୋଲିବ, କେମିତି ଯାତାୟାତ କରିହେବ ସେ ନେଇ ସୂଚନା ଦିଆଯାଇଛି । ବିଏମସିର ସୂଚନା ଅନୁଯାୟୀ ୨୮ ତାରିଖ ରାତିରୁ ରାଜଧାନୀରେ ଲକଡାଉନ ନିୟମ କୋହଳ ହୋଇଛି । ମଲରେ କୌଣସି ଦୋକାନ ଥିଲେ ବି ଖୋଲିବନି । ମଲରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ଯେଉଁଠି ଗୋଟିକିଆ ଦୋକାନ ଥିବ ସେଗୁଡ଼ିକ ଖୋଲିବ । ହେଲେ ଯେଉଁ ଦୋକାନ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲିବ ତାହାର ମାଲିକ ଓ କର୍ମଚାରୀ ଦୋକାନରେ ଟ୍ରେଡ ଲାଇସେନ୍ସ ନକଲକୁ ପାସ୍ ଭାବେ ବ୍ୟବହାର କରିପାରିବେ । ବିଏମସି ପକ୍ଷରୁ କୁହାଯାଇଛି ଯେ, ମାର୍କେଟ କମ୍ପ୍ଲେକ୍ସ ଓ ମଲରେ ନଥିବା ମୋବାଇଲ ଦୋକାନ ଖୋଲିପାରିବ, ପ୍ଲାଇଡର, ରଙ୍ଗ, ହାର୍ଡୱେୟାର, ଦୁଇ ଚକିଆ ଗାଡ଼ି ସୋରୁମ, ପୋଷାକ, ଦୋକାନ, ପ୍ରିଣ୍ଟିଂ ପ୍ରେସ, ଫ୍ଲେକ୍ସ ଦୋକାନ, ଡିଜିଟାଲ ପ୍ରିଣ୍ଟିଂ, ମାର୍ବଲ ଟାଇଲ, ଗ୍ରାନାଇଟ, ଜୁଏଲାରୀ ସୋ’ରୁମ, କାଚ ଦୋକାନ, ଲୋକ ପାର୍ସଲ ନେଇପାରୁଥିବା ମିଠା ଦୋକାନ, ସାନିଟାରି ଦୋକାନ, କମ୍ପ୍ୟୁଟର ଓ ଲାପଟପ ଦୋକାନ ଖୋଲିପାରିବ ।
ହେଲେ ଚାରିଚକିଆ ଗାଡ଼ି ସୋ ରୁମ ଖୋଲିବନି । ବୀମା କମ୍ପାନୀ ଗୁଡ଼ିକ ଖୋଲିବ, କିନ୍ତୁ ୨୫% କର୍ମଚାରୀଙ୍କୁ ନେଇ କାମ କରିବେ । ଲିଫଟ ଏସ୍କାଲେଟର ଚାଲିପାରିବ । ଏଠାରେ ସାମାଜିକ ଦୂରତା ରକ୍ଷା ସହ ନିୟମିତ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦିଆଯିବ । ମଦ ଦୋକାନ ଖୋଲିବାକୁ କିନ୍ତୁ ଅନୁମତି ଦିଆଯାଇନି ।
ସେହିପରି ଘର କାମ କରୁଥିବା ସହାୟକ/ସହାୟିକା ରୋଷେୟା, ଡ୍ରାଇଭର ଆଦିଙ୍କୁ କାମ କରିବାକୁ ଅନୁମତି ମିଳିବ । ହେଲେ ସେମାନେ ହାତ ଧୋଉଥିବେ, ପରିଷ୍କାର ପରିଚ୍ଛନ୍ନ ରହୁଥିବେ, ମାସ୍କ ପିନ୍ଧୁଥିବେ । ସେମାନଙ୍କ ଠାରେ କୌଣସି ଫ୍ଲୁ ଲକ୍ଷଣ ଦେଖାଦେଲେ ଘରେ ରହିବା ପାଇଁ କହିବାକୁ ଘର ମାଲିକମାନଙ୍କୁ କୁହାଯାଇଛି । ଅପରପକ୍ଷେ ସେଲୁନ, ସ୍ପା, ବଡ଼ି ମସାଜ, ବିଉଟି ପାର୍ଲର, ଚା ଓ କଫି, ପାନ ଦୋକାନ ଇତ୍ୟାଦି ଖୋଲିପାରିବ ନାହିଁ ।


