ମଳ ଉପଚାର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ
ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଶନିବାର ସ୍ୱାୟତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ମଳ ଉପଚାର ପ୍ଲାଣ୍ଟ ର ଶିଳାନ୍ୟାସ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହାସହ ଏକ ଆଗାମୀ ଏକ ବର୍ଷ ମାଧ୍ୟମରେ ରାଜ୍ୟର ସବୁ ପୈାରସଂସ୍ଥା ମାନଙ୍କୁ ଅବର୍ଜନା ମୁକ୍ତ ସହର କରିବା ପାଇଁ ଲକ୍ଷ୍ୟ ରହିଛି । ତାସହିତ ଏହି କାର୍ଯ୍ୟକ୍ରମରେ ମା ମାନଙ୍କୁ ସାମିଲ କରିବା ଏକ ବହୁତ ଭଲ ଉଦ୍ୟମ । ଉତ୍ତମ ନାଗରିକ ସେବା, ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ମୂଳ ଲକ୍ଷ୍ୟ । ଆଜିକାଲି ସହରାଞ୍ଚଳ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ପରିଚାଳନା ଏକ ଆହ୍ୱାନ ହୋଇଛି । କିନ୍ତୁ , ଯଦି ଆମେ ଜନସାଧାରଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରରେ ରଖି କାର୍ଯ୍ୟ କରିବା ଓ୫ଟିର ନୀତିକୁ ଅନୁସରଣ କରିବା, ତେବେ ଜନସାଧାରଣ ଚାହୁଁଥିବା ପରିବର୍ତ୍ତନକୁ ଆମେ ନିଶ୍ଚିତଭାବେ ହାସଲ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଭିଡିଓ କନଫେରନ୍ସି ରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମହିଳା ମାନଙ୍କ କରତାଳି ଓ ହୁଳ ହୁଳି ର ସ୍ୱର ମାଧ୍ୟମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଶିଳାନ୍ୟାସ ପ୍ରସ୍ତର ଉନ୍ମୋଚନ କରିଥିଲେ । ଜିଲ୍ଲାର ହିଞ୍ଜିଳି, ଆସିକା, ସୋରଡ଼ା, ପୋଲସରା ପୌରାଂଚଳରେ ସ୍ୱତନ୍ତ୍ର ପ୍ଲାଣ୍ଟ ସ୍ଥାପନ ହେବ । ୧୦ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଂଟ୍ ମାନଙ୍କରେ ସଂଗ୍ରୁହିତ ମଳକୁ ତୁରନ୍ତ କମ୍ପୋଷ୍ଟ୍ ରେ ପରିବର୍ତ୍ତନ କରିବା ପାଇଁ ସ୍ୱତନ୍ତ୍ର ମେସିନ୍ ସ୍ଥାପନ କରାଯିବ । ଏହି ୪ଗୋଟି ପୌରାଂଚଳର ମଳ ଉପଚାର ପ୍ଲାଂଟ୍ ରେ ୧୦ କୋଟି ୧୨ ଲକ୍ଷ ଟଙ୍କା ବିନିଯୋଗ ହେବ । ମୋଟ ୬୦ହଜାର ପରିବାରଙ୍କ ସଂଗ୍ରୁହିତ ମଳ ଏହି ପ୍ଲାଣ୍ଟ ମାଧ୍ୟମରେ କମ୍ପୋଷ୍ଟ୍ କରଣ ହେବ । ଏହା ଦ୍ୱାରା ପରିବେଶ ପରିଷ୍କାର ରହିବା ସହ ପୌରାଂଚଳର ଚାଷ ଜମିରେ ଏହାକୁ ପ୍ରୟୋଗ କରାଯାଇ ଅଧିକ ଉତ୍ପାଦନକ୍ଷମ କରାଯିବ । ପୂର୍ବରୁ ଗଂଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମରେ ଏପରି ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତା ତ୍ରୟ ଭାଉସାହେବ, ଡ଼ୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳଙ୍କ ସମେତ ୪ଟି ଏନଏସିର କାର୍ଯ୍ୟନିର୍ବାହି ଅଧିକାରୀ ଏବଂ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ ।


