ମହାକାଳପଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ମତଦାନ ୨୪ରେ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଆସନ୍ତା ୨୪ ତାରିଖରେ ଜିଲ୍ଲାର ମହାକାଳପଡା ବ୍ଲକରେ ଅନୁଷ୍ଠିତ ହେବ । ସେଥିପାଇଁ ମଙ୍ଗଳବାର ସେହି ବ୍ଲକର ୪୭୪ଟି ବୁଥକୁ ପୋଲିଂ ପାର୍ଟି ପଠା ଯାଇଥିବା ସୂଚନା ମିଳିଛି । ମହାକାଳପଡା ବ୍ଲକର ୫ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୩୧ପଞ୍ଚାୟତର ୪୭୪ଟି ବୁଥରେ ମତଦାନ ଅନୁଷ୍ଠିତ ହେବା । ମହାକାଳପଡା ବ୍ଲକରେ କୈାଣସି ଅସ୍ଥାୟୀ ବୁଥ ନଥିବା ଜଣାପଡିଛି । ସେହି ବ୍ଲକର ମୋଟ ଭୋଟର ସଂଖ୍ୟା ଏକ ଲକ୍ଷ ୬୬ହଜାର ୨୭୦ ହୋଇଥିବା ବେଳେ ସେଥି ମଧ୍ୟରୁ ୮୭ହଜାର ୭୦୮ ପୁରୁଷ ଓ ୭୮ହଜାର ୫୬୨ ଜଣ ମହିଳା ଭୋଟର ଅଛନ୍ତି । ଏହି ବ୍ଲକର ନିର୍ବାଚନ ପରିଚାଳନା ନିମନ୍ତେ ମହାକାଳପଡା ବ୍ଲକର ୫ଟି ଜୋନରେ ୧୪୨୨ଜଣ ପୋଲିଂ କର୍ମଚାରୀ, ୩୧ଜଣ ସେକ୍ଟର ଅଫିସର, ୫ଜଣ ସେକ୍ଟର ସୁପରଭାଇଜରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୧ଟି ପୋଲିସ ମୋବାଇଲ ପାର୍ଟି, ୬ଟି ମଟରସାଇକେଲ ପାଟ୍ରୋଲିଂ ପାର୍ଟି, ଗୋଟିଏ ସେକ୍ସନ ପୋଲିସ ଫୋର୍ସ ମହାକାଳପଡା ଥାନାରେ ରଖାଯାଇଛି । ପ୍ରତି ଜୋନରେ ୫ଜଣ କରି ମ୍ୟାଜିଷ୍ଟ୍ରେଟ, ୪୭୪ ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୪୭ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । ମହାକାଳପଡା ବ୍ଲକରେ ୨୫୮ଟି ସମ୍ବେଦନଶୀଳ ବୁଥ ରହିଛି । ମତଦାନରୁ ଫେରିବା ପରେ ପୋଲିଂ ପାର୍ଟି ମହାକାଳପଡାର ବାୟାବାବା ମହାବିଦ୍ୟାଳୟରେ ବାଲାଟ ବକ୍ସ ସମେତ ସମସ୍ତ ନିର୍ବାଚନ ସମ୍ବଦ୍ଧୀୟ ଜିନିଷ ଓ କାଗଜପତ୍ର ଫେରସ୍ତ ଦେବାକୁ ନିର୍ଦେଶ ଦିଆଯାଇଛି । ଏହି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି ।


