ମହାପ୍ରଭୁଙ୍କ ୩୯୭.୨୩ କୋଟି ଟଙ୍କା ଫେରିଲା
ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରୁ ଫେରିଛି । ଇ-ଟ୍ରାନ୍ସଫର୍ ମାଧ୍ୟମରେ ୩୯୭.୨୩ କୋଟି ଟଙ୍କା ଫେରିଛି । ୩୮୯ କୋଟି ମୂଳଜମା ସହ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା ଫେରିଛି । ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସ୍ବିଆଇ ଆକାଉଣ୍ଟକୁ ଏହି ଟଙ୍କା ଫେରିଛି । ୟେସ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛନ୍ତି ଜୟଦେବ ଦାସ । ସେହିପରି ଅବଶିଷ୍ଟ ୧୫୬ କୋଟି ଟଙ୍କା ମାର୍ଚ୍ଚ 30ରେ ମାଚ୍ୟୁରିଟି ପରେ ଫେରିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିଯାଇଥିବାରୁ ଏହି ବ୍ୟାଙ୍କରେ ରଖାଯାଇଥିବା ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା। ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ଏହି ଟଙ୍କାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ଦେଖାଯାଇଥିଲା । ପରିଶେଷରେ ଜଗନ୍ନାଥଙ୍କ ଟଙ୍କା ଫେରିଛି ।


