ମହିଳାଙ୍କୁ ହତ୍ୟା ଅଭିଯୋଗ, ପୋଲିସ ନିରବ

ତିର୍ତ୍ତୋଲ, (ଯୁଗାବ୍ଦ ନ୍ୟୁଜ): ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ବାବୁଲି ମଲ୍ଲିକଙ୍କ ପତ୍ନୀ ସରୋଜୀନୀଙ୍କୁ ତାଙ୍କର ଶାସୁଘର ଲୋକେ ଯୋଜନାବଦ୍ଧ ଭାବରେ ହତ୍ୟାକରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡରେ କେତେଜଣ ବାହାରର ଲୋକଙ୍କ ହାତଥିବା ମଧ୍ୟ ଅଭିଯୋଗ କରାଯାଇଛି । ପୂର୍ବରୁ ବହୁବାର ସରୋଜିନୀଙ୍କୁ ତାଙ୍କର ସ୍ୱାମୀ ଜୀବନରେ ମାରିଦେବାକୁ ଧମକ ଦେବା ସହ ବାହାରର କେତେଜଣ ମଧ୍ୟ ହତ୍ୟା ଧମକ ଦେଉଥିଲେ । ସରୋଜୀନୀଙ୍କ ମୃତ୍ୟୁପରେ ତାଙ୍କ ଭଉଣୀଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ତାଙ୍କ ଭାଇ ଏହି ଥାନା ଅନ୍ତର୍ଗତ କୋଲର ଗ୍ରାମର ଅମୁଲ୍ୟ ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି । ନଅ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଏଥିନେଇ ତଦନ୍ତ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି । ଏହି ହତ୍ୟାକାଣ୍ଡସହ ବାହାରର ଲୋକଙ୍କ ସୃପୃକ୍ତି ସହିତ ଜବତ ମୋବାଇଲର କଲ ରେକର୍ଡ ଯାଞ୍ଚ କରାଗଲେ ପ୍ରକୃତ କାରଣ ପଦାକୁ ଆସିବ ବୋଲି ମୃତାଙ୍କ ପରିବାର ଲୋକେ ଦାବୀ କରିଛନ୍ତି । ଅଭିଯୋଗରୁ ଜଣାଯାଏ ବିଭୂତି ମଲ୍ଲିକ ତାଙ୍କର ଝିଅ ସରୋଜିନୀଙ୍କୁ ବାବୁଲିଙ୍କ ସହ ବିବାହ ଦେଇଥିଲେ । ଶାଶୁଘରେ ଶାଶୁ, ସ୍ୱାମୀ, ଦିଅର ଏବଂ ଯାଆ ବହୁ ସମୟରେ ତାଙ୍କୁ ମାରଧର କରିବା ସହ ଶାରୀରିକ ନିର୍ଯ୍ୟାତନା ଦିଅନ୍ତି । ବାବୁଲୀ କାର୍ଯ୍ୟଅନୁସରଣରେ ବାହାରକୁ ଯିବାପରେ ତାଙ୍କର ଦୁଇଜଣ ପଡିଶା ନିୟମିତ ଭାବରେ ସରୋଜିନୀଙ୍କ ବିଷୟରେ ବିଭିନ୍ନ ମିଛକଥା ଫୋନ ମାଧ୍ୟମରେ ଜଣାଇଥାନ୍ତି । ଏଥିରେ ବାବୁଲି ଉତ୍ୟକ୍ତ ହେବା ସହ ଫୋନରେ ପତ୍ନୀ ସରୋଜିନୀଙ୍କୁ ଗାଳିମନ୍ଦ କରିବା ସହ ଘରକୁ ଆସି ମାରଧର କରନ୍ତି । ଏପରିକି ବାହାରେ ଥିବା ସମୟରେ ଧମକ ଦେଇ ଘରକୁ ଆସିଲେ ତାଙ୍କୁ ଜୀବନରେ ମାରିଦେବେ ବୋଲି କୁହନ୍ତି । ଏଥିସହ ପଡିଶା ଘରର କେତେଜଣ ମଧ୍ୟ ସରୋଜିନୀଙ୍କୁ ଏଠାରେ ରଖାଇ ଦେବେ ନାହିଁବୋଲି କହିବା ସହ ହତ୍ୟା ଧମକ ଦେଇଥାନ୍ତି । ଏସମ୍ପର୍କରେ ସରୋଜିନି ତାଙ୍କ ବାପଘର ଲୋକଙ୍କୁ ମଧ୍ୟ ବହୁବାର ଜଣାଇଛନ୍ତି । ତାଙ୍କ ଭାଇ ଏବଂ ପରିବାର ଅନ୍ୟ ସଦସ୍ୟ ମାନେ ଶାଶୁଘରକୁ ଯାଇ ବୁଝାଶୁଝା କରି ଆସନ୍ତି । ଗତ ୧୭ ତରିଖରେ ତାଙ୍କ ଭଉଣୀ ମରିଯାଇଛି ବୋଲି ଶୁଣି ଅମୁଲ୍ୟ ଭଉଣୀ ଘରକୁ ଯାଇ ସରୋଜିନୀ ମରିପଡିଥିବା ଦେଖିବାକୁ ପାଇଥିଲେ । ଏହି ହତ୍ୟାକାଣ୍ଡରେ ପରିବାର ଲୋକଙ୍କ ସହ ବାହାରର ଲୋକଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରି ଏହାର ନୀରପେକ୍ଷ ତଦନ୍ତ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ