ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଲେଶ୍ୱର, (ସରୋଜ ପଣ୍ଡା) : ବିଭାଘରକୁ ୮ମାସ ନ ପୂରୁଣୁ ସଦର ଥାନା ଅନ୍ତର୍ଗତ ଟୁଲଙ୍କସାହି ଅଞ୍ଚଳରେ ଜନୈକ ମହିଳାଙ୍କର ମୃତ ଶରୀର ଶୋଇବା ଘରୁ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ଜୟନ୍ତ ଜେନାଙ୍କ ପତ୍ନୀ ଭାଗ୍ୟଶ୍ରୀ ଜେନା (୨୧) । ପ୍ରତିଦିନ ଭଳି ସ୍ୱାମୀ ଜୟନ୍ତ କାର୍ଯ୍ୟକୁ ଚାଲିଯାଇଥିବା ବେଳେ ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ପରିବାରର ଅନ୍ୟ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ନିଜ ଶୋଇବାଘର ଫ୍ୟାନରେ ଭାଗ୍ୟଶ୍ରୀ ଫାଶୀ ଦେଇଥିଲେ । ତେବେ ଘରଲୋକେ ଦେଖି ତାଙ୍କୁ ଉଦ୍ଧାର ସହ ଡାକ୍ତରଖାନାକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ଭାଗ୍ୟଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପରିବାର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଭାଗ୍ୟଶ୍ରୀଙ୍କ ବାପଘର ଲୋକେ ଏହାକୁ ଅସ୍ୱୀକାର କରିଛନ୍ତି । ନିର୍ଯାତନା ସହି ନପାରି ତାଙ୍କ ଝିଅ ଏଭଳି ନିଷ୍ପତ୍ତି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ ପାଇଁ ବାପଘର ଲୋକେ ଦାବି କରିଛନ୍ତି ।


