ମହିଳା ଙ୍କୁ ଦୁର୍ବ୍ୟବହାର; ମାଡ ଖାଇଲେ ଜେ.ଇ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଜୁରୁଡି ଗ୍ରାମପନ୍ଚାୟତର ଜଣେ ମହିଳା ଠିକାଦାରଙ୍କୁ ବ୍ଲକର ଏକ କୋଠାଘର ନିର୍ମାଣର ବିଲ୍କୁ କେନ୍ଦ୍ରକରି ଜେ.ଇ ଓ ବି.ଡି.ଓ ଦୁର୍ବ୍ୟବହାର କରିଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି । ମହିଳା ଠିକାଦାର ଲିଲି ପାତ୍ରଙ୍କ ଅଭିଯୋଗ ଅନୁଯାୟୀ ଜଣା ପଡିଛି ଯେ, ଲିଲି ପାତ୍ର ଜୁରୁଡି ଗ୍ରାମପନ୍ଚାୟତ କାର୍ଯ୍ୟାଳୟ ନିକଟରେ ବ୍ଲକ ପକ୍ଷରୁ ଠିକାରେ ଗ୍ରାମପନ୍ଚାୟତ ଅଫିସ୍ ଘର ନିର୍ମାଣ କରିଥିଲେ । ଯାହାର ବ୍ୟୟ ଅଟ୍ଟକଳ ପ୍ରାୟ ୩୫ ଲକ୍ଷ ଟଙ୍କା ଥିଲା । ଅଫିସ୍ ଘର ନିର୍ମାଣ ପରେ ଚତୁର୍ଥ ପର୍ଯ୍ୟାୟରେ ୭ ଲକ୍ଷ ୫୨ ହଜାର ୩୦ ଟଙ୍କା ବିଲ୍ କରାଯାଇଥିଲା । ସେହି ବିଲ୍ ରୁ ଅନ୍ୟ ବାବଦକୁ କିଛି ଅର୍ଥ ବାଦ ଦେଇ ମହିଳା ଠିକାଦାର ଲିଲି ପାତ୍ରଙ୍କୁ ୭ ଲକ୍ଷ ୧୯ ହଜାର ୩୦ ଟଙ୍କା ର ବିଲ୍ କରାଯାଇଥିଲା । ପରେ ତାଙ୍କୁ ୫ ଲକ୍ଷ ୮୬ ହଜାର ଟଙ୍କାର ସେଲ୍ଫ ଚେକ୍ ଜୁରୁଡି ପନ୍ଚାୟତ ଦାୟିତ୍ୱରେ ଥିବା ଜେ.ଇ ପ୍ରଦୀପ କୁମାର ସାମଲ ଦେଇଥିଲେ । ଗତ ତା-୦୩.୧୨.୨୦୨୦ ରିଖ ରେ ଉକ୍ତ କାର୍ଯ୍ୟର ଫାଇନାଲ ବିଲ୍ କରାଇବା ପାଇଁ ଯୋଡା ବ୍ଲକ କୁ ଯାଇଥିବା ବେଳେ ରେକର୍ଡ ରେ ୧ଲକ୍ଷ ୩୩ ହଜାର ଟଙ୍କା ତାଙ୍କୁ ଜେ.ଇ ପ୍ରଦୀପ କୁମାର ସାମଲ ଦେଇନଥିବା ଜାଣିବାକୁ ପାଇଥିଲେ ଏବଂ ଏ ସଂକ୍ରାନ୍ତରେ ସେ ଯୋଡା ବି.ଡି.ଓ ଙ୍କ ପାଖକୁ ଯାଇ ଜଣାଇଥିଲେ । ବି.ଡି.ଓ ଜେ.ଇ ଙ୍କୁ ଡକାଇବା ବେଳେ ଜେ.ଇ ପ୍ରଦୀପ କୁମାର ସାମଲ ଉକ୍ତ ଟଙ୍କା ଏସ୍ଏଫ୍ସି ବାବଦକୁ ବିଲ୍ରୁ କଟିଯାଇଛି ବୋଲି କହିଥିଲେ । ପରେ ବି.ଡି.ଓ କ୍ରଧାନ୍ୱିତ ହୋଇ ଅଭଦ୍ର ମହିଳା କହି ଲିଲି ପାତ୍ରଙ୍କୁ ଅଫିସ୍ରୁ ଚାଲିଯିବା ପାଇଁ କହିଥିଲେ । ଏପରି ମହିଳା ମାନଙ୍କୁ ମୁଁ ଆଖିରେ ଦେଖେ ନାହିଁ ବୋଲି କହି ଅସମ୍ମାନିତ କରିଥିବା ମହିଳା ଠିକାଦାର ଲିଲି ପାତ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ତା-୦୪.୧୨.୨୦୨୦ ରିଖ ଦିନ ଜେ.ଇ ପ୍ରଦୀପ କୁମାର ସାମଲ ମଧ୍ୟ ଅଫିସ୍ରୁ ବାହାରି ତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଳଜ କରିଥିଲେ । ଏ ନେଇ ମହିଳା ଜଣଙ୍କ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିବା ଖବରଦାତାଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଏ ସମ୍ପର୍କରେ ଯୋଡା ବ୍ଲକ ଜେ.ଇ ପ୍ରଦୀପ କୁମାର ସାମଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମହିଳା ଠିକାଦାର ଜଣଙ୍କ ତାଙ୍କୁ ମାଡ ମାରିଛନ୍ତି ଏବଂ ସେ ଅସୁସ୍ଥ ଥିବାରୁ ଚିକିତ୍ସା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୋଲିସର ସୁରକ୍ଷା ବଳୟରେ ଅଛନ୍ତି । ଏ ସମ୍ପର୍କରେ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ କହିଛନ୍ତି ଯେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି , ଅଭିଯୋଗକୁ ଆଧାର କରି ତଦନ୍ତ କରାଯାଉଛି । ତେବେ ଏହି ଘଟଣାକୁ ନେଇ, ଜନ ସାଧାରଣରେ ଚର୍ଚ୍ଚା ହେଉଛି ଯେ ଯୋଡା ବ୍ଲକରେ ଅନୈତିକ ଭାବେ ଠିକାଦାରଙ୍କ ଠାରୁ ପିସି ନେଣ ଦେଣ କାର୍ଯ୍ୟ ଚାଲିଛି । ଏହାର ଏକ ଭିଜିଲାନ୍ସ ଯାନ୍ଚ କରାଗଲେ ପିସି କାରବାରର ସତ୍ୟାସତ୍ୟ ଲୋକଲୋଚନକୁ ଆସି ପାରନ୍ତା ।


