ମହେନ୍ଦ୍ରଗିରି ବିକାଶ ମଞ୍ଚର ମହେନ୍ଦ୍ରଗିରି ପରିଦର୍ଶନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ମହେନ୍ଦ୍ରଗରି ବିକାଶ ମଞ୍ଚର କାର୍ଯ୍ୟକାରୀ କମିଟିର ସଭାପତି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପରିପାଶ୍ୱର୍ ଅଞ୍ଚଳ ଓ ଶିଖର ଦେଶ ପରିଦର୍ଶନ କରିଥିବାର ଜଣାପଡିଛି । ଏହି ମଣ୍ଡଳୀ ପରିଦର୍ଶନ ବେଳେ ଦେଖିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରକାଶ କରିବାକୁ ଯାଇ କହିଛନ୍ତି ଯେ, କଇଁପୁର ଠାରୁ ବୁରୁଖତ ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରିନାହିଁ । ବୁରଖତ ଠାରୁ ମହେନ୍ଦ୍ର ଶିଖର ପର୍ଯ୍ୟନ୍ତ ପିଚୁରାସ୍ତା କାର୍ଯ୍ୟ ହୋଇଛି । କିନ୍ତୁ ରାସ୍ତାର ଦୁଇପାଶ୍ୱର୍ରେ ମାଟି ପଡିଥିବା ଯୋଗୁଁ ବର୍ଷାରେ ଧୋଇଯିବାର ସମ୍ଭାବନାରହିଛି । ଏହି ସମସ୍ୟାର ପ୍ରତିକାର ପାଇଁ ସେଠାରେ ଗାର୍ଡ ୱାଲର ନିର୍ମାଣ, ବୁରୁଖତ ଠାରୁ ପର୍ଶୁରାମକୁଣ୍ଡ ଯିବାକୁ ପର୍ଯ୍ୟଟକମାନଙ୍କ ଅସୁବିଧାର ସମ୍ମୁଖୀନ ହେବା, ମହେନ୍ଦ୍ର ଶିଖର ଦେଶରେ ଥିବା ବିଶ୍ରାମସ୍ଥଳରେ ପାନୀୟ ଜଳର ବ୍ୟବସ୍ଥା, ପ୍ରାଚୀନ ମନ୍ଦିର ଗୁଡିକର ରକ୍ଷଣା ବେକ୍ଷଣ, ବୁରଖତ ଠାରୁ ଶିଖର ପର୍ଯ୍ୟନ୍ତ ବିଜୁଳି ଆଲୁଅ ବ୍ୟବସ୍ଥା ଆଦିର ଅଭାବ ଓ ସମସ୍ୟା ରହିଥିବାର ପରିଲିକ୍ଷିତ କରିଥିଲେ । ଏହା ସହ ସରକାରଙ୍କର ଜୈବ ମଣ୍ଡଳ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ସହିତ ସେଠାରେ ହରିଣ ପାର୍କ ଓ ଔଷଧୀୟ ବୃକ୍ଷର ବଗିଚା କରାଯଯାଏ ତେବେ ପର୍ଯ୍ୟଟକଙ୍କୁ ଉକ୍ତ ସ୍ଥାନ ଆହୁରି ଆକର୍ଷଣ କରିବ ବୋଲି ମତ ରଖିଛନ୍ତି । ଏସବୁ ଅସୁବିଧା ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମଞ୍ଚର ସମ୍ପାଦକ ହରିମୋହନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ତ୍ରିପତି ପଣ୍ଡା, ସଦସ୍ୟ ମନୋଜ ଦାସ ଓ ଲୋକନାଥ ମିଶ୍ର ପ୍ରମୁଖ ପ୍ରକାଶ କରିବା ସହିତ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ତୁମ୍ବା ଦେଇ ରାସ୍ତାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିକଟରେ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରିଛନ୍ତି ।


