ସଡକ ଦୁର୍ଘଟଣାରେ ପଥଚାରୀଙ୍କ ସମେତ ୩ ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ମିଲୁଖୁରିଗାଁ ଗ୍ରାମ ନିକଟରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ପଥଚାରୀ ଜଣକ ଗୁରୁତର ହୋଇ ପଡି ଥିବା ବେଳେ ସ୍କୁଟିରେ ବସିଥିବା ଦୁଇ ନାବାଳକ ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କାଶୀନଗରର ଦୁଇ ନାବାଳକ ଏକ ସ୍କୁଟି ଯୋଗେ ମିଲୁଖୁରିଗାଁ ଗ୍ରାମ ଆଡେ କୌଣସି କାମରେ ଯାଇ ଫେରୁଥିବା ବେଳେ ବିପରିତ ଦିଗରୁ ଉଲ୍ଲେଖିତ ଗ୍ରାମର ପଥଚାରୀ ଧର୍ମାରାଓଙ୍କ ସହ କୌଣସି କାରଣରୁ ଧକ୍କା ଘଟିଥିଲା । ଏଥିରେ ଧର୍ମାରାଓ ଓ ସ୍କୁଟିରେ ଥିବା ଦୁଇଜଣ ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ କାଶୀନଗର ଦମକଳ ବାହିନୀ ପହଞ୍ଚି ତୁରନ୍ତ ଆହତ ମାନଙ୍କୁ କାଶୀନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାନିମନ୍ତେ ଭର୍ତ୍ତି କରିଥିଲେ । ତେବେ ଧର୍ମାରାଓଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକା ଚିକିତ୍ସା ନିମନ୍ତେ ପଠାଇଦିଆଯାଇଛି । ଦୁଇ ଆହତ ନାବାଳକ ଆହତ ହୋଇ କାଶୀନଗର ଠାରେ ଚିକିତ୍ସା ହେଉଛନ୍ତି । ଏନେଇ କାଶୀନଗର ଥାନାରେ କୌଣସି ଅଭିଯୋଗ ହୋଇନଥିବାର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଜଣାଇଛନ୍ତି । ଦୁର୍ଘଟଣା ଖବର ପ୍ରସାରିତ ହେବାପରେ ଉଭୟ କାଶୀନଗର ଓ ମିଲୁଖୁରିଗାଁ ଗ୍ରାମବାସୀ କାଶୀନଗର ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିଡ ଜମାଇଥିବାର ଦେଖିବାକୁ ମିଳିଛି ।


