ମାନପୁର ଗ୍ରାମରେ ହାଇସ୍କୁଲଟିଏ ନାହିଁ : ନଦୀ ପାର ହୋଇ ଭଦ୍ରକ ଜିଲ୍ଲାକୁ ଯାଉଛନ୍ତି ଛାତ୍ରଛାତ୍ରୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ହାଇସ୍କୁଲଟିଏ ନଥିବାରୁ ଅତ୍ୟନ୍ତ ବିପଦଜନକ ଭାବରେ ନଦୀପାର ହୋଇ ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ଜିଲ୍ଲାରୁ ଭଦ୍ରକ ଜିଲ୍ଲାକୁ ଯାଉଛନ୍ତି ପାଠପଢିବାକୁ । ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ମାନପୁର ସରକାରୀ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପାଠପଢା ଶେଷକରିବା ପରେ ଅଧିକ ଶିକ୍ଷାଲାଭ ପାଇଁ ବ୍ରାହ୍ମଣୀନଦୀ ପାରହୋଇ ଭଦ୍ରକ ଜିଲ୍ଲାର ଆରଡିସ୍ଥିତ ହାଇସ୍କୁଲକୁ ଯାଉଛନ୍ତି ସେହି ଅଚଂଳର ଛାତ୍ରଛାତ୍ରୀମାନେ । ସ୍ୱାଧୀନତାର ୭୩ବର୍ଷ ପରେବି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମରେ ହାଇସ୍କୁଲଟିଏ ପ୍ରତିଷ୍ଠା ହେବା ସମ୍ଭବ ହୋଇପାରିନି । ମାନପୁର ସରକାରୀ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୧୮ଜଣଙ୍କ ମଧ୍ୟରୁ ୮ଜଣ ଛାତ୍ରୀ ଓ ୧୦ଜଣ ଛାତ୍ର, ଦ୍ୱିତୀୟ ଶ୍ରେଣୀରେ ୪୯ଜଣଙ୍କ ମଧ୍ୟରୁ ୧୭ଜଣ ଛାତ୍ରୀ ଓ ୩୨ଜଣ ଛାତ୍ର, ତୃତୀୟ ଶ୍ରେଣୀରେ ୪୪ଜଣଙ୍କ ମଧ୍ୟରୁ ୨୦ଜଣ ଛାତ୍ରୀ ଓ ୨୪ଜଣ ଛାତ୍ର, ଚତୁର୍ଥ ଶ୍ରେଣୀରେ ୪୩ଜଣଙ୍କ ମଧ୍ୟରୁ ୨୯ଜଣ ଛାତ୍ରୀ ଓ ୧୪ଜଣ ଛାତ୍ର, ପଂଚମ ଶ୍ରେଣୀରେ ୪୭ଜଣଙ୍କ ମଧ୍ୟରୁ ୨୫ଜଣ ଛାତ୍ରୀ ଓ ୨୨ଜଣ ଛାତ୍ର, ଷଷ୍ଠ ଶ୍ରେଣୀରେ ୩୪ଜଣଙ୍କ ମଧ୍ୟରୁ ୧୯ଜଣ ଛାତ୍ରୀ ଓ ୧୫ଜଣ ଛାତ୍ର, ସପ୍ତମ ଶ୍ରେଣୀରେ ୪୮ଜଣଙ୍କ ମଧ୍ୟରୁ ୩୧ଜଣ ଛାତ୍ରୀ ଓ ୧୭ଜଣ ଛାତ୍ର ଏବଂ ଅଷ୍ଟମ ଶ୍ରେଣୀରେ ୪୧ଜଣଙ୍କ ମଧ୍ୟରୁ ୨୦ଜଣ ଛାତ୍ରୀ ଓ ୨୧ଜଣ ଛାତ୍ର ଅଛନ୍ତି । ବିଦ୍ୟାଳୟରେ ମୋଟ ୩୨୪ଜଣଙ୍କ ମଧ୍ୟରୁ ୧୬୯ଜଣ ଛାତ୍ରୀ ଓ ୧୫୫ଜଣ ଛାତ୍ର ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପୃଷ୍ଟିଙ୍କ ଠାରୁ ଜଣାପଡିଛି । କୁମ୍ଭୀର ରହୁଥିବା ବ୍ରାହ୍ମଣୀ ନଦୀକୁ ଡଙ୍ଗାରେ ପାରି ହୋଇ ଅତ୍ୟନ୍ତ ବିପଦଜନକ ଭାବରେ ଦୈନିକ ମାନପୁର ଗ୍ରାମରୁ ଭଦ୍ରକ ଜିଲ୍ଲାର ଆରଡିକୁ ପାଠପଢିବାକୁ ଯିବା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଜୀବନର ସୁରକ୍ଷାକୁ ବିପନ୍ନ କରିଛି । ଏଭଳି ବିପଦଜନକ ଭାବରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ପ୍ରତି ସରକାର ଉଚିତ ଧ୍ୟାନଦେବା ଆବଶ୍ୟକ । ମାନପୁର ସରକାରୀ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅପଗ୍ରେଡେଡ କରାଯାଇ ସେଠାରେ ଏକ ହାଇସ୍କୁଲ ଖୋଲାଯିବାର ଆବଶ୍ୟକତା ରହିଛି । ଏଥିପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ମାନପୁରଅଚଂଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ