ମା ମଙ୍ଗଳା ଙ୍କ ମନ୍ଦିର ରେ ତୃତୀୟ ପାଳି ଯାତ୍ରା: ପାଟୁଆ ନୃତ୍ୟ ଓ କାଳିକାନୃତ୍ୟ ଦେଖି ଭକ୍ତ ବିମୋହିତ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଚୈତ୍ର ମାସ ର ତୃତୀୟ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଅନୁଷ୍ଠିତ ହୋଇଛି ତୃତୀୟ ପାଳିଯାତ୍ରା। ପ୍ରାତଃ ୩ଟା ରେ ମନ୍ଦିର ଖୋଲାଯାଇ ମା ଙ୍କ ପୂଜା ନୀତି ଅନୁଷ୍ଠିତ ହେବାପରେ ମା ଙ୍କୁ ଚନ୍ଦନ ବେଶ ରେ ସଜ୍ଜିତ କରାଯାଇ ଭକ୍ତ ମାନଙ୍କ ଦର୍ଶନ ପାଇଁ ସାହାଣ ମେଲା କରାଯାଇଥିଲା। ମାତୃଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ବ୍ୟାରିକେଡ଼ ମଧ୍ୟରେ ମନ୍ଦିରର ପୂର୍ବ ଦ୍ୱାର ଦେଇ ପ୍ରବେଶ କରାଯାଇ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରାଯାଇଥିଲା । ମନ୍ଦିର ଭିତରେ ଓ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡ଼ି ରେ ଯାଇ ମା ଙ୍କୁ ଦର୍ଶନ କରିଥିଲେ। ଝଙ୍କଡ ରୁ ଆସିଥିବା ଘଣ୍ଟ ପାଟୁଆ ସ୍ଥାନୀୟ ପାଟୁଆ ଙ୍କ ସହିତ ଏକ ବିରାଟ ଶୋଭାଯାତ୍ରା ରେ ପ୍ରାଚୀ ନଦୀ ର ଘଣ୍ଟତୋଳା ତୁଠ କୁ ଯାଇ ଦଣ୍ଡପୂଜା ଓ ଘଟସ୍ଥାପନ କରି ମନ୍ଦିର କୁ ଆସିଥିଲେ। ଝଙ୍କଡ ରୁ ଆସିଥିବା ପାଟୁଆ ମନ୍ଦିର ବେଢାରେ ଓ ସ୍ଥାନୀୟ ଅଞ୍ଚଳ ର ପାଟୁଆ ମାନେ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ପାଟୁଆ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆଜି ଚୈତ୍ର ମାସ ର ତୃତୀୟ ପାଳି ଯାତ୍ରା ହୋଇ ଥିବାରୁ ପାରମ୍ପରିକ ପ୍ରଥାନୁସାରେ ବିଳମ୍ବିତ ରାତି ରେ ମନ୍ଦିର ରେ ଓ ସେବକ ସାହି ଦାଣ୍ଡ ରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା ଦିନରେ ପାଟୁଆ ଙ୍କ ନୃତ୍ୟ ଓ ରାତିରେ କାଳୀକା ନୃତ୍ୟ ଦେଖି ଭକ୍ତ ମାନେ ବିମୋହିତ ହୋଇ ପଡ଼ିଥିଲେ।ତୃତୀୟ ପାଳିଯାତ୍ରା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ସହିତ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଥିଲା।


