ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗାଁର ସମସ୍ୟା କଥା ଜଣାଇବୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗାଁର ବିକାଶ ନେଇ ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି। ଏଥି ନିମନ୍ତେ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରାଯାଉଛି। ହେଲେ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ କନ୍ଧମାଳଜିଲ୍ଲା ରେ ବହୁ ଗାଁ ରହିଛି ଯେଉଁଠି ବିକାଶ ପହଞ୍ଚି ପାରିନାହିଁ। ଜିଲ୍ଲାରେ ଏଭଳି ଗାଁ ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଥିବା ବେଳେ ସେଥି ମଧ୍ୟରୁ ବାଲିଗୁଡା ବ୍ଳକ ପରମପାଙ୍ଗା ପଞ୍ଚାୟତର ଡୁଙ୍ଗେରି ଗାଁ ଏହି ତାଲିକାରେ ରହିଛି। ଡୁଙ୍ଗେରି ଗାଁରେ ପରିବାର ସଂଖ୍ୟା ୪୦। ଲୋକସଂଖ୍ୟା ୧୩୦ରୁ ଊର୍ଦ୍ଧ୍ବ ହେବ। ହେଲେ ଗାଁକୁ ରାସ୍ତାଟିଏ ନାହିଁ। ଜଙ୍ଗଲ ପାର ହୋଇ ପାହାଡ ଚଢ଼ି ଗ୍ରାମବାସୀ ଯାତାୟାତ କରିଥାନ୍ତି। ଗାଁକୁ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ପାଖରେ ରାସନ୍ ଚାଉଳ ଓ କିରାସିନି ପହଞ୍ଚିବା ସମ୍ଭବ ହେଉ ନାହିଁ। ତେଣୁ ଗ୍ରାମବାସୀଙ୍କୁ ୫ରୁ ୬ କିଲୋମିଟର ଚାଲିବାକୁ ପଡ଼ୁଥିବା ବେଳେ ଗୋଟିଏ ଦିନ ଶ୍ରମଦାନ କରିବାକୁ ପଡୁଛି। ରାସ୍ତା ନଥିବାରୁ ଜରୁରୀ ସେବା ଗାଁରେ ପହଞ୍ଚି ପାରୁ ନାହିଁ। ଏମିତି କି ଆମ୍ବୁଲାନ୍ସ୍ସ କେବେ ଗାଁରେ ପହଞ୍ଚି ପାରି ନାହିଁ। ଗାଁରେ ନଳକୂପଟିଏ ନିର୍ମାଣ ହୋଇପାରିନି। ତେଣୁ ସମସ୍ତ ଗ୍ରାମବାସୀ ଚୁଆ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଗାଁରେ ବିଜୁଳି ଆଲୁଅ ବି ଜଳି ପାରି ନାହିଁ। ବିଭିନ୍ନ ଯୋଜନାରେ ସବୁ ଗାଁ‌କୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ରାଜ୍ୟ ସରକାର କହୁଥିଲେ ବି ଡୁଙ୍ଗେରି ଗ୍ରାମବାସୀଙ୍କ ଭାଗ୍ୟରେ ଏହା ବୋଧେ ନାହିଁ। ଡିବିରି ଆଲୁଆ ହିଁ ସାହା ଭରସା ବୋଲି କହନ୍ତି ଗ୍ରାମବାସୀ। ଗାଁରେ ୩ ବର୍ଷରୁ ୧୫ ବର୍ଷ ବୟସର ପିଲା ସଂଖ୍ୟା ୩୦। ହେଲେ ଆଜି ସୁଦ୍ଧା ଗାଁରେ ‌ପ୍ରାଥମିକ ସ୍କୁଲଟିଏ ଖୋଲା ଯାଇପାରି ନାହିଁ। ପ୍ରଶାସନକୁ ବହୁବାର କହିବା ସତ୍ତ୍ବେ ଛୋଟ ପିଲାଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଟିଏ ବି ନିର୍ମାଣ ହୋଇ ପାରିଲା ନାହିଁ। ଗାଁଠାରୁ ୪ କିଲୋମିଟର ଦୂର ସୁକୁଙ୍ଗିଆ ଗାଁରେ ରହିଛି ଅଙ୍ଗନବାଡି କେନ୍ଦ୍ର। ଜଙ୍ଗଲ ଓ ପାହାଡ଼ ରାସ୍ତା ଦେଇ ଛୋଟ ପିଲାଙ୍କୁ ନେଇ ସେହି କେନ୍ଦ୍ରକୁ ଯିବାକୁ ଗ୍ରାମବାସୀ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଯାହା ଫଳରେ ଛୋଟ ପିଲାମାନେ ପୁଷ୍ଟିକର ଖାଦ୍ୟ ଅଭାବରୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି।ରୋଜଗାର କହି‌ଲେ ଜଙ୍ଗଲ। ଜଙ୍ଗଲରୁ ପତ୍ର, ମହୁଲ ଓ ଜାଳେଣି କାଠ ସଂଗ୍ରହ କରି ତାକୁ ବିକ୍ରି କରି ସେଥିରେ ପରିବାର ଚଳାଉଛନ୍ତି ଲୋକ। ମନରେଗା ଯୋଜନାରେ ସବୁ ଲୋକଙ୍କୁ କାମ ଯୋଗାଇ ଦିଆଯାଉଛି ବୋଲି ପ୍ରଶାସନ କହୁଛି। ହେଲେ କାମଧନ୍ଦା କିଛି ମିଳୁ ନାହିଁ ବୋଲି କହନ୍ତି ଗ୍ରାମବାସୀ। ଗାଁର ସବୁ ସମସ୍ୟା ନେଇ ଗ୍ରାମବାସୀ ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନକୁ ଜଣାଇ ଆସୁଛନ୍ତି। ଏଥି ନିମନ୍ତେ ସରପଞ୍ଚ, ବିଡିଓ ଓ ଜିଲ୍ଲାପାଳଙ୍କୁ ବହୁବାର ଜଣାଇଛନ୍ତି । ହେଲେ ପ୍ରତିଶ୍ରୁତି ମିଳୁ ଥିଲେ ବି ଗୋଟିଏ କାମ ବି ହୋଇ ପାରି ନାହିଁ ବୋଲି କ୍ଷୋଭର ସହ କହନ୍ତି ଶିବ ସାହାଣୀ ଓ ବିକ୍ରମ ଦିଗାଲ। କରୋନା‌ ମହାମାରୀ ପରେ ଭୁବନେଶ୍ବର ଯାଇ ନବୀନ ନିବାସକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗାଁର ସମସ୍ୟା କଥା ଜଣାଇବୁ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ଦିଗାଲ ଓ ଡି‌ଜେଲ ଦିଗାଲ। ତା’ସତ୍ତ୍ବେ ସମସ୍ୟାର ସମାଧାନ ନ ହେଲେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଡୁଙ୍ଗେରି ଗାଁର ଗ୍ରାମବାସୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ