ମୃତ ବ୍ୟକ୍ତିଙ୍କ ଖାଉଟି ସାମଗ୍ରୀ ହଡପ ପ୍ରସଙ୍ଗ
ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ ସଠଳପୁର ଗ୍ରାମର କୁଇନ ରାଉତଙ୍କ ପରିବାରଙ୍କୁ ଖାଉଟି କାର୍ଡ ଯୋଗାଇବା ସହ ତାଙ୍କ ମୃତ ଶ୍ୱଶୁର ଓ ଶାଶୁଙ୍କ ଖାଉଟି ସାମଗ୍ରୀ ହଡପ ହୋଇଥିବାକୁ ନେଇ ୨୦୨୦ ଅକ୍ଟୋବର ୧୨ ତାରିଖରେ କୁଇନ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତିକରି ୨୦୨୦ ଡିସେମ୍ବର ମାସରେ କୁଇନଙ୍କ ପରିବାରଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବା ଜଣାଯାଇଛି । ହେଲେ ମୃତ ବ୍ୟକ୍ତିଙ୍କ ଖାଉଟି ସାମଗ୍ରୀ ଊଠିବା ସଂପର୍କରେ ଡିଲରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଜଣାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରାଜ୍ୟ ସରକାର ଦୁର୍ନୀତିକୁ ପ୍ରଶୟ ଦେଉ ନଥିବା ବେଳେ ଜିରୋ ଟଲେରାନ୍ସ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । କିନ୍ତୁ ଉକ୍ତ ବ୍ଳକରେ ବାରମ୍ବାର ମୃତ ବ୍ୟକ୍ତିଙ୍କ ନାମରେ ଖାଉଟି ସାମଗ୍ରୀ ଉଠାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଯୋଗୁ ଖାଉଟି ସାମଗ୍ରୀ ବଂଟନରେ ସ୍ୱଚ୍ଛତା ରହୁ ନାହିଁ । ସୂଚନା ଅନୁସାରେ ଉକ୍ତ ପଂଚାୟତରେ ୨୦୧୯ ଅକ୍ଟୋବର ମାସରେ ମୃତ ବ୍ୟକ୍ତିଙ୍କ ଚାଉଳ ହଡପ ହୋଇଥିବାକୁ ନେଇ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ତଦନ୍ତ କରାଯାଇ ସେ ସମୟରେ ଥିବା ଡିଲରକୁ ଜିଲ୍ଲାପାଳ ନିଲମ୍ବିତ କରିଥିଲେ । ପରେ ସଂପୃକ୍ତ ଡିଲର ପୂର୍ଣ୍ଣବାର ଡିଲର ଦାୟିତ୍ୱରେ ରହିଛନ୍ତି । ସେହିପରି ମୃତ ବ୍ୟକ୍ତିଙ୍କ ଚାଉଳ ହଡପକୁ ନେଇ ଅଭିଯୋଗର ୩ ମାସ ପରେ କୁଇନଙ୍କୁ ଉକ୍ତ ଯୋଜନାରେ ସାମିଲ କରାଯାଇଛି । କିନ୍ତୁ ୨ମାସ ହେବ ଖାଉଟି ସାମଗ୍ରୀ ହଡପ ହୋଇଛି କି ନାହିଁ ତଦନ୍ତ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ବିଭାଗର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ଯୋଗାଣ ବିଭାଗ ଦୁର୍ନୀତିକୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କୁଇନଙ୍କ ଅଭିଯୋଗକୁ ଭିତିକରି ଏସଂକ୍ରାନ୍ତରେ ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶ ପାଇବା ପରେ ମୃତ ଶାଶୁ ଓ ଶ୍ୱଶୁରଙ୍କ ନାମରେ ଥିବା ଖାଉଟି କାର୍ଡରୁ ସାମଗ୍ରୀ ଉଠାଉଥିବା ସଂପୃକ୍ତ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟୁଇଟ ମାଧ୍ୟମରେ ରାଜ୍ୟ ଖାଦ୍ୟ ଯୋଗାଣ କମିସନର ଅଧ୍ୟକ୍ଷ ଖାଦ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉକ୍ତ ନିର୍ଦ୍ଦେଶକୁ ଜଗତସିଂହପୁର ଜିଲ୍ଲା ଯୋଗାଣ ବିଭାଗ ମାନୁ ନଥିବା ଜଣାଯାଇଛି । ସୁଚନା ମୁତାବକ କୁଇନ ତାଙ୍କ ମୃତ ଶାଶୁ ଓ ଶ୍ୱଶୁରଙ୍କ ନାମରେ ଥିବା ଖାଉଟି କାର୍ଡରେ ଖାଦ୍ୟ ସାମଗ୍ରୀ ଉଠୁଥିବା ବିଡିଓଙ୍କୁ ଅଭିଯୋଗ କରିବା ସହିତ ଅଭିଯୋଗ ପତ୍ରର ନକଲ ଜିଲ୍ଲାପାଳ,ଜଗତସିଂହପୁର, ୫ଟି ସଚିବ ଓଡିଶା, ଯୋଗାଣ ମନ୍ତ୍ରୀ, ଓଡିଶା ଆଦିଙ୍କ ଅବଗତି ନିମନ୍ତେ ପଠା ଯାଇଥିବା ଅଭିଯୋଗରେ ଦର୍ଶାଇଥିଲା । ଉକ୍ତ ଅଭିଯୋଗକୁ ଭିତି କରି ନାଉଗାଁ ବ୍ଳକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତି ଗତ ନଭେମ୍ବର ମାସ ୧୦ତାରିଖରେ କୁଇନଙ୍କ ଘରେ ପହଁଚି ତଦନ୍ତ କରିବା ସହିତ କୁଇନଙ୍କ ଠାରୁ ତାଙ୍କ ମୃତ ଶାଶୁ ଓ ଶଶୁରଙ୍କ ନାମରେ ଥିବା ଖାଉଟି କାର୍ଡ ସହିତ ଆବଶ୍ୟକ କାଗଜପତ୍ର ସଂଗ୍ରହ କରିଥିଲେ । ଏହି ସମୟରେ କୁଇନ ତାଙ୍କ ମୃତ ଶାଶୁ ଓ ଶଶୁରଙ୍କ ନାମକୁ ଉକ୍ତ କାର୍ଡରୁ ବାଦ ଦେଇ ତାଙ୍କ ପରିବାରଙ୍କ ନାମ ଉକ୍ତ କାର୍ଡରେ ସଂଯୋଗ କରିବାକୁ ଅନୁରୋଧ କରିଥିଲେ । ଅନୁରୋଧ ଓ ଅଭିଯୋଗକୁ ଭିତି କରି କୁଇନଙ୍କ ପରିବାରକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ଦେଇ ପ୍ରଶାସନ ଚୁପ ରହିଥିବା ଜଣାଯାଇଛି । ଅପରପକ୍ଷେ ମୃତ ବ୍ୟକ୍ତିଙ୍କ ନାମରେ ଫନି ସହାୟତା, କରୋନା ରିଲିଫ୍ ସହାୟତା ଏବଂ କେତେ ପରିମାଣର ଖାଦ୍ୟ ସାମଗ୍ରୀ ହଡପ କରାଯାଇଛି ତାର ସଠିକ ତଥ୍ୟ ପ୍ରଦାନ କରିବା ସହିତ ବଂଟନ ଦାୟିତ୍ୱରେ ଥିବା ଡିଲରଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ବିଷୟରେ ଯୋଗାଣ ବିଭାଗ ନିର୍ଣ୍ଣାୟକ କରି ପାରୁ ନଥିବା ଜଣାଯାଇଛି । ଏବିଷୟରେ ବ୍ଳକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତିଙ୍କୁ ପଚାରିବାରୁ ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ସେହିପରି ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ବିବେକାନନ୍ଦ କୋରକୋରାଙ୍କୁ ପଚାରିବାରୁ ତଦନ୍ତ ସରିଛି, ରିପୋର୍ଟକୁ ବିଚାରକୁ ନିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।


