ମୋହନା ବିଧାୟକଙ୍କ ବାସଭବନ ସମ୍ମୁଖରେ ଅଙ୍ଗନୱାଡିଙ୍କ ଧାରଣା
ମୋହନା, (ଅଂଶୁମାନ ପଣ୍ଡା):ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ମହେନ୍ଦ୍ରଗଡ଼ ସ୍ଥିତ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକା l ମଙ୍ଗଳବlର ମୋହନା, ଆର.ଉଦୟଗିରି, ନୂଆଗଡ ଓ ରାୟଗଡ ବ୍ଲକର ପ୍ରାୟ ୩ ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକା ମହେନ୍ଦ୍ରଗଡ ତିବତିୟ କଲୋନୀ ରେ ଏକତ୍ରିତ ହୋଇଥିଲେ l ସେଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବିଧାୟକଙ୍କ ବାସଭବନରେ ପହଞ୍ଚି ଧାରଣା ଦେଇଥିଲେ l ଏଥିରେ ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡ଼ିସ ୱାର୍କରସ ଆସୋସିଏସନ୍ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟl ଅଞ୍ଜଳି ନାୟକ, ଗଜପତି ଜିଲ୍ଲା ସଭାନେତ୍ରୀ ଜୋଷ୍ଣlରାଣୀ ପଣ୍ଡା, ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳୀ ପଣ୍ଡା ଯୋଗଦେଇ ଅଙ୍ଗନୱାଡି କର୍ମୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ କୁ କଡ଼ା ନିନ୍ଦା କରିଥିଲେ l ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ଦରମା ବୃଦ୍ଧି, ମିନି ଅଙ୍ଗନୱାଡି କର୍ମୀଙ୍କୁ ମୂଖ୍ୟ କର୍ମୀର ମାନ୍ୟତା ସହ ୮ ଦଫା ଦାବି ନେଇ ଗତ ନଭେମ୍ବର ୨୧ ରୁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି l ଏଥିସହ ରାଜ୍ୟର ସମସ୍ତ ବ୍ଲକର ଆଇସିଡିଏସ କାର୍ଯ୍ୟାଳୟ ଆଗରେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି l ତେବେ ଆନ୍ଦୋଳନକୁ ଏକ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ଅଙ୍ଗନୱାଡି କର୍ମୀ l ତେଣୁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କ ବାସଭବନ ଆଗରେ ଧାରଣା ଦେଇଥିବା କହିଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକା l ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ବାସଭବନ ଆଗରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି l ବିଧାନସଭାରେ ସେମାନଙ୍କ ଦାବି ଉପସ୍ଥାପନ କରିବା ସହ ସରକାରଙ୍କ ଅବଗତ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ l ଏହି ଅବସରରେ ଅଙ୍ଗନୱାଡି କର୍ମୀ ସଂଘର ମୋହନା ବ୍ଲକ ସଭାନେତ୍ରୀ ପବିତ୍ରା ନାୟକ, ଆର. ଉଦୟଗିରି ବ୍ଲକ ସଭାନେତ୍ରୀ ଟୁନି ଦୋରା, ନୂଆଗଡ ବ୍ଲକ ସଭାନେତ୍ରୀ ସୁଜାତା ମାଝୀ, ରାୟଗଡ଼ ବ୍ଲକ ସଭାନେତ୍ରୀ କୁନି ଜାନୀ ଓ ନମିତା ବିର ପ୍ରମୁଖ ଯୋଗଦେଇଥିଲେ l


