‘ଯାହା କହି ହୁଏନା’ ନାଟକ ମଞ୍ଚସ୍ଥ ‘ଶୋଭା’ ନାଟ୍ୟାନୁଷ୍ଠାନର ୯ମ ବାର୍ଷିକ ନାଟ୍ୟୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଶୋଭା’ର ନବମ ବାର୍ଷିକୋତ୍ସବ ଅବସରରେ ୨୫ତମ ନାଟ୍ୟାର୍ଘ୍ୟ ଡ. ନାରାୟଣ ସାହୁଙ୍କ ରଚିତ ‘ଯାହା କହି ହୁଏନା’ ନାଟକ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ୭୫ବର୍ଷର ସ୍ୱାଧୀନତାପ୍ରାପ୍ତି ପରେ ବି ଆମ ସମାଜର ଘଟିଚାଲିଥିବା ଅନେକ ମଧ୍ୟରୁ ଦାଦନ ସମସ୍ୟାର କର୍କଟରୋଗ ନିରାକରଣ କରିବାରେ ଆମ ଚଳନ୍ତି ବ୍ୟବସ୍ଥା ଅସଫଳ ହେବାର ବାସ୍ତବ ଚିତ୍ର ନାଟ୍ୟାଗ୍ରହୀ ଦର୍ଶକମାନଙ୍କୁ ସମ୍ମୋହିତ କରିଥିଲା ।ଏହି ବାର୍ଷିକୋତ୍ସବର ନିର୍ଦ୍ଦେଶକ ଅର୍ଣ୍ଣବ କରଙ୍କ ଦ୍ୱାରା ମଞ୍ଚ ଆହ୍ୱାନ ତଥା ଅତିଥି ପରିଚୟ କରିଥିବା ବେଳେ ‘ଶୋଭା’ ର ଉପଦେଷ୍ଟା ପ୍ରବୀଣ ଅଭିନେତା ଲକ୍ଷ୍ମୀନାରାୟଣ ଘୋଷଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବରେ ‘ଚନ୍ଦ୍ରଭାଗା’ର ପ୍ରତିଷ୍ଠାତା କବି ଶ୍ରୀଦେବ ନାଟକ ହିଁ ସର୍ବକାଳୀୟ ପ୍ରଭାବଶାଳୀ ମାଧ୍ୟମ ଯାହା ଯୁଗେଯୁଗେ ସାହିତ୍ୟ ଓ ସମାଜକୁ ଏକ ଶକ୍ତିଶାଳୀ ମାର୍ଗଦର୍ଶକ ଭାବରେ ଅଭୂତପୂର୍ବ ଭୂମିକା ବହନ କରିଥିବାର ମତପୋଷଣ କରିଥିଲେ । ନିର୍ଦ୍ଦେଶକ-ଅଭିନେତା-ଲେଖକ ବିଜୟ ମହାକୁଡ଼ ସମ୍ମାନିତ ଅତିଥିଭାବରେ ନାଟକ ହିଁ ସାମାଜିକ ସ୍ୱଚ୍ଛତା ଆଣିପାରେ ବୋଲି ତାଙ୍କ ବକ୍ତବ୍ୟ ରଖି ‘ଶୋଭା’ ଅନୁଷ୍ଠାନର ନିରବଚ୍ଛିନ୍ନ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବକାଶରେ ଅନୁଷ୍ଠାନର ସଂପାଦକ ଆଶିଷ ବର୍ଦ୍ଧନ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲାବେଳେ ଅତିଥିମାନଙ୍କ ଦ୍ୱାରା ବେହେଲା ବାଦକ ଗୁରୁ ମନୋରଞ୍ଜନ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।‘ଯାହା କହି ହୁଏନା’ ନାଟକରେ ଆଶିଷ, ମଦନ, ରମ୍ୟା, ସୂରଜକାନ୍ତ, ଅନନ୍ତ, ସୁବ୍ରତ, ପ୍ରମଥେଶ, ପୂଜା, ଦେବସ୍ମିତା, ମଧୁସ୍ମିତା ନିଜନିଜର ସଫଳ ଅଭିନୟ ଉପସ୍ଥାପନ କରିଥିଲାବେଳେ ଗୀତିକାର ପୂର୍ଣ୍ଣେନ୍ଦୁ ଦାସମହାପାତ୍ର, ସଂଗୀତନିର୍ଦ୍ଦେଶକ ଗୁରୁ ନନ୍ଦକିଶୋର ଦାସ, ମଂଚ ଓ ରୂପସଜ୍ଜାରେ ସନ୍ତୋଷ କମିଳା, ଆଲୋକ ପରିବେଷଣରେ ସନ୍ତୋଷ ମହାନ୍ତି (ଛୁଆ) ଏବଂ ନିର୍ଦ୍ଦେଶନାରେ ଅର୍ଣ୍ଣବଙ୍କ ଆନ୍ତରିକ ସହଭାଗିତାରେ ନାଟକଟିକୁ ସଫଳ ରୂପାୟନ କରିପାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ