“ରଡିଓର ପ୍ରାସଙ୍ଗିକତା’ – ଅରବିନ୍ଦ ତ୍ରିପାଠୀ

ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଭିମୁଖ୍ୟ ସଂପର୍କରେ ସମୟ ସମୟରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି । ଜନସାଧାରଣମାନେ ମଧ୍ୟ ଆକାଶବାଣୀ ମାଧ୍ୟମରେ ସେମାନଙ୍କର ମତାମତ ସରକାରଙ୍କ ପାଖରେ ଅବିଳମ୍ବେ ପହଞ୍ଚାଇ ପାରୁଛନ୍ତି । ଏହାଦ୍ୱାରା ଅନେକ ସମୟରେ ଭାରତର ପ୍ରମୁଖ ସମସ୍ୟା ସମାଧାନ ହେବା ସହିତ ରାଷ୍ଟ୍ର ଗଠନରେ ଯେଉଁ ବ୍ୟକ୍ତିବିଶେଷ ଅବା ସଂଗଠନ ଗୁରୁ୍‌ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି ସେମାନେ ଏହାଦ୍ୱାରା ଲୋକଲୋଚନକୁ ଅବିଳମ୍ବେ ଆସିପାରୁଛନ୍ତି । ସୀମାନ୍ତରେ ଜଗୁଥିବା ଯବାନ ହୁଅନ୍ତୁ ଅବା ନିଜର ପେଟପାଟଣା ପାଇଁ ସମୁଦ୍ରର ମତ୍ସ୍ୟଜୀବୀ ସମସ୍ତେ ଏହି ରେଡିଓ ଉପରେ ନିର୍ଭରଶୀଳ । ସମ୍ବାଦ ସାଙ୍ଗକୁ ମନୋରଂଜନର ଖୋରାଖ୍ ବେଶ୍ ପାଇବା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଏହାଦ୍ୱାରା ସେମାନେ ଜାଣିପାରୁଛନ୍ତି । ରେଡିଓଟିଏ କମ୍ ମୂଲ୍ୟ ଏବଂ ବ୍ୟାଟେରୀ ଦ୍ୱାରା ଚାଳିତ ହୋଇଥିବାରୁ ସବୁଠାରେ ତାହାର ଆଦର ଥାଏ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନେବା ଆଣିବା ସୁବିଧା ମଧ୍ୟ ହୋଇଥାଏ । ବର୍ତ୍ତମାନ ଆକାଶବାଣୀ ତଥା ରେଡିଓର ସବୁ ଜିଲ୍ଲାରେ କେନ୍ଦ୍ର ପ୍ରାୟ ପ୍ରତିଷ୍ଠା ହୋଇସାରିଲାଣି । ଓଡ଼ିଶା ଆକାଶବାଣୀର ସମ୍ବାଦ ବିଭାଗ ମଧ୍ୟ କେତେଜଣ ଉଜ୍ଜଳ ଜ୍ୟୋତିଷ୍କ ପ୍ରତିଭାମାନଙ୍କ ଦ୍ୱାରା ଆଜି ମଧ୍ୟ ଗୌରବମଣ୍ଡିତ । ଉଦ୍‌ଘୋଷକ ଭାବରେ ହିନ୍ଦୀ ଆକାଶବାଣୀର ହରି ସାନ୍ଧୁ, ସେହିପରି ଓଡିଆ ଆଂଚଳିକ ସମାଚାର ବିଭାଗର ଉଦ୍‌ଘୋଷକ ଭାବରେ ୰ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସହିତ(ଯିଏକି ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଉପ-ମହାନିର୍ଦ୍ଦେଶକ(ଡିଏଭିପି), ସେ ଆଜି ଆମ ଗହଣରେ ନାହାନ୍ତି ସତ୍ୟ, ମାତ୍ର ତାଙ୍କର କାର୍ଯ୍ୟ ଦକ୍ଷତା, ନିଷ୍ଠା ଏବଂ ଆକାଶବାଣୀକୁ ଭଲପାଇବା ସବୁଦିନ ପାଇଁ ମନେ ରହିବ । ) ୰ ଯତୀନ ଦାସ, ଉପେନ୍ଦ୍ର କୁମାର ପାହାଡ଼ ସିଂ, ଗୌରାଙ୍ଗ ଚରଣ ରଥ, ରବି ଶତପଥୀ, ଏବଂ ମହିଳା ଉଦ୍‌ଘୋଷିକାମାନଙ୍କ ମଧ୍ୟରେ କାମିନୀ ତ୍ରିପାଠୀ, ସକୁନ୍ତଳା ମିଶ୍ର ଆଦି ଜନସାଧାରଣଙ୍କ ମନ ଓ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହିତ ନିଜର ପ୍ରତିଭାକୁ ବେଶ୍ ଭଲଭାବରେ ବିକଶିତ କରିପାରିଛନ୍ତି ଏବଂ ରେଡିଓ ମାଧ୍ୟମରେ ସମାଜରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛନ୍ତି । ଠିକ୍ ସେହିପରି ଆମ ଓଡିଶାରେ ଉଦୀୟମାନ ଯୁବ ପ୍ରତିଭା ତଥା ଆଉଟରିଚ୍ ସଂଗଠନର ମୁଖ୍ୟ ତଥା ରେଡିଓ ପ୍ରେମୀ ସୁବ୍ରତ କୁମାର ପତିଙ୍କ ଆନ୍ତରିକ ଉଦ୍ୟମରେ ଆମ ଓଡିଶାରେ ପ୍ରତିବର୍ଷ ରେଡିଓ ମେଳା ଅନୁଷ୍ଠିତ ହୋଇଆସୁଛି । ରାଜଧାନୀ ଭୁବନେଶ୍ୱରରେ ଆଉଟ୍‌ରିଚ୍ ସଂଗଠନ ପକ୍ଷରୁ ରେଡ଼ିଓ ପ୍ରେମୀ ତଥା ଏହାର ମୁଖ୍ୟ ସୁବ୍ରତ କୁମାର ପତି କିଛି ବର୍ଷ ଧରି ରେଡ଼ିଓ ମେଳାକୁ ଆୟୋଜନ କରିବା ବେଶ୍ ଖୁସି ଖବର । ମାତ୍ର ରେଡ଼ିଓର ପ୍ରଚାର ଓ ପ୍ରସାର ଦିଗରେ ଅର୍ଥ ବାଧକ ସାଜିଥିଲେ ମଧ୍ୟ ଯୁବ ରେଡ଼ିଓପ୍ରେମୀ ଶ୍ରୀଯୁକ୍ତ ପତିଙ୍କ ଉଦ୍ୟମ ଓ ନିଷ୍ଠା ବେଶ୍ ପ୍ରଶଂସନୀୟ । ସେହିପରି କେତେକ ସଂଗଠନ, ନିର୍ମାଣ ସଂସ୍ଥା ରେଡ଼ିଓର ପ୍ରଚାର ଓ ପ୍ରସାର ଦିଗରେ ଆଗେଇ ଆସିଛନ୍ତି । ଏହା ଆମ ଯୁବ ରେଡିଓପ୍ରେମୀମାନଙ୍କୁ ଆନନ୍ଦର ଖୋରାକ୍ ଯୋଗାଇବାର ସହିତ ରେଡିଓର ବହୁମୁଖୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆମେ ଅବଗତ ହେବା ସହିତ ନିଯୁକ୍ତି ଓ ନୂତନ ଜ୍ଞାନକୌଶଳ ବିଷୟରେ ଜନସାଧାରଣ ଜାଣିପାରୁଛନ୍ତି । । ଭାରତରେ ଆମ ଭାରତରେ ରେଡିଓ ବା ଆକାଶବାଣୀକୁ ଆକାଶବାଣୀ କହୁଥିବା ବେଳେ ଅନ୍ୟ ରାଷ୍ଟ୍ରରେ ଯଥା ପାକିସ୍ତାନରେ ରେଡିଓ ପାକିସ୍ତାନ, ଗ୍ରେଟ୍ ବ୍ରିଟେନ୍‌ରେ ବିବିସି(ବ୍ରିଟିସ୍ ବ୍ରଡ୍‌କାଷ୍ଟିଂ କର୍ପୋରେସନ), ତେହେରାନ୍‌ରେ ତେହେରାନ୍ ରେଡ଼ିଓ ଇତ୍ୟାଦି କୁହନ୍ତି । ଆଜିର ଯୁଗରେ ଆମ ଭାରତରେ ବହୁ ସଂଖ୍ୟକ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ଆବିର୍ଭାବ ହୋଇଛନ୍ତି । ସ୍ମାର୍ଟଫୋନ୍ ଏବଂ ହ୍ୱାଟସ୍‌ଆପ୍‌ର ବହୁଳ ବ୍ୟବହାର ଦେଖାଦେଇଛି । ରେଡିଓର ଲୋକାଭିମୁଖୀ କିଛିମାତ୍ରାରେ କମିଥିଲେ ମଧ୍ୟ ଆଜି ବି ଆକାଶବାଣୀର ପ୍ରାସଙ୍ଗିକତା ବହୁମାତ୍ରାରେ ରହିଛି । ଆମର ଗ୍ରାମରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ମୋଟିମୋଟି କହିବାକୁ ଗଲେ ସାମଗ୍ରିକ ଭାବରେ ରେଡିଓ ବା ଆକାଶବାଣୀର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଦ୍ୱିମତ ନାହିଁ । ସରକାରଙ୍କର ବ୍ୟାପକ ଆନ୍ତରିକତା ରହିଲେ ରେଡ଼ିଓର ବ୍ୟାପକ ଭାବରେ ପ୍ରଚାର ଓ ପ୍ରସାର ବହୁ ପରିମାଣରେ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ